ମହିଳାଙ୍କ ପାଇଁ ୩୦% ସଂରକ୍ଷଣ ବିଧେୟକକୁ ଉତ୍ତରାଖଣ୍ଡ ରାଜ୍ୟପାଳଙ୍କ ଅନୁମୋଦନ

ଡେରାଡୁନ: ଉତ୍ତରାଖଣ୍ଡର ମହିଳା ସଂରକ୍ଷଣ ବିଧେୟକକୁ ମଙ୍ଗଳବାର ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି। ରାଜ୍ୟପାଳଙ୍କ ଅନୁମୋଦନ ସହ ମହିଳା ପ୍ରାର୍ଥୀମାନେ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣର ଆଇନଗତ ଅଧିକାର ପାଇଛନ୍ତି। ରାଜ୍ୟ ସରକାର ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ବିଧେୟକକୁ ପାରିତ କରି ରାଜଭବନ ପଠାଇଥିଲେ। ବିଧାନସଭାର ଶୀତ ଅଧିବେଶନରେ ଗୃହରେ ପାରିତ ହୋଇଥିବା ୧୪ଟି ବିଲ୍(ଯେଉଁଥିରେ କି ଅଧିକାଂଶ ସଂଶୋଧିକ ବିଧେୟକ ଥିଲା) ସହିତ ମହିଳା ସଂରକ୍ଷଣ ବିଲ୍ ମଧ୍ୟ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିବାର ଥିଲା। ଅଧିକାଂଶ ବିଧେୟକ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା, କିନ୍ତୁ ମହିଳା ସଂରକ୍ଷଣ ବିଲ୍ ବିଚାରାଧୀନ ଥିଲା। ରାଜ୍ୟପାଳ ଏହାକୁ ଅନୁମୋଦନ କରିବା ପୂର୍ବରୁ ନ୍ୟାୟ ଏବଂ ଆଇନ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ କରାଇଥିଲେ।

ଏହି କାରଣରୁ ବିଧେୟକକୁ ଅନୁମୋଦନ ମିଳିବାକୁ ଏକ ମାସ ସମୟ ଲାଗିଲା। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମହିଳା ସଂରକ୍ଷଣ ଆଇନ ଶୀଘ୍ର ଲାଗୁ ହେବା ନେଇ ନିକଟରେ ସଙ୍କେତ ଦେଇଥିଲେ। ରାଜଭବନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ରାଜ୍ୟପାଳଙ୍କ ଅନୁମୋଦନ ସହ ଏହି ବିଲ୍ ବିଧାନସଭା ବିଭାଗକୁ ପଠାଇ ଦିଆଯାଇଛି।

Related Articles

Back to top button