ଆସିଲା ମୃତ ଅଞ୍ଜଳିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: କାରରେ ଘୋଷାଡ଼ି ହୋଇ ପଞ୍ଜରା ହାଡ ପିଠିରୁ ବାହାରି ଆସିଛି, ଖପୁରି ନଷ୍ଟ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ସାମ୍ନାକୁ ଆସିଥିଲା ଛାତି ଥରାଇଦେବା ଭଳି ଘଟଣା । ଦିଲ୍ଲୀର କଞ୍ଝାବଲା ଇଲାକାରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ କାର ତଳେ ଘୋଷାଡି ୧୨ କିମି ନେଇ ଯାଇଥିଲେ  । ଫଳରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏବେ ସମ୍ନାକୁ ଆସିଛି ଯୁବତୀଙ୍କ ଅଟୋପ୍ସି ରିପୋର୍ଟ ।

ରିପୋର୍ଟରେ ଆସିଛି ଆଶ୍ଚର୍ଯ୍ୟ କରିଦେବା ପରି ଖବର । ରିପୋର୍ଟ ଅନୁସାରେ ମୃତ ଅଞ୍ଜଳିଙ୍କ ଶରୀରରେ ୪୦ଟି ଆଘାତ ରହିଛି । ତାଙ୍କର ପଞ୍ଜରା ହାଡ ପିଠିରୁ ବାହାରି ଆସିଛି । ଖପୁରି ନଷ୍ଟ ହୋଇଯାଇଛି  । ଏପରିକି ମୁଣ୍ଡରୁ ମସ୍ତିଷ୍କ ଗାଏବ ହୋଇଯାଇଛି । ତାଙ୍କର ପଞ୍ଜରା, ମୁଣ୍ଡ  ଏବଂ ଶରୀରର ତଳଭାଗରେ ଆଘାତର ଚିହ୍ନ ରହିଛି । ଦୁଃଖ ଏବଂ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ସାମଗ୍ରିକ ଭାବେ ଆଘାତ ହିଁ ତାଙ୍କ ମୃତ୍ୟୁର କାରଣ ହୋଇପାରେ ବୋଲି କୁହାଯାଇଛି । ତେବେ ଯୌନ ନିର୍ଯାତନାର କୌଣସି ସଙ୍କେତ ନ ଥିବା କୁହାଯାଇଛି । ଅଞ୍ଜଳିଙ୍କ ମା’ ବଳାତ୍କାର ଅଭିଯୋଗ ଆଣିଥିଲେ । ହେଲେ ରିପୋର୍ଟରେ ସେମିତି ଘଟି ନ ଥିବା କୁହାଯାଇଛି ।

ଡାକ୍ତର ପ୍ରାଥମିକ ରିପୋର୍ଟରେ କହିଛନ୍ତି, ମୁଣ୍ଡ, ପଞ୍ଜରା ହାଡ, ବାମ ପାର୍ଶ୍ୱ ହାଡ, ଦୁଇ ପାଦରେ ଗଭୀର ଆଘାତ ଲାଗିଛି । ଏହାଦ୍ୱାରା ପ୍ରଚୁର ରକ୍ତସ୍ରାବ ହୋଇଛି । ଗାଡି ଧକ୍କା ଏବଂ ଏତେ ବାଟ ଘୋଷାଡି ହୋଇ ଯିବା ଦ୍ୱାରା ଏହି କ୍ଷତ ସୃଷ୍ଟି ହୋଇଥିବା ଏବଂ ରକ୍ତସ୍ରାବ ହୋଇଥିବା କୁହାଯାଉଛି । ତେବେ ଚୂଡାନ୍ତ ରିପୋର୍ଟ କେମିକାଲ ଟେଷ୍ଟ ଏବଂ ଜୈବିକ ନମୁନା ପରୀକ୍ଷା ପରେ ଆସିବ ।

୨୦ ବର୍ଷର ଏହି ଯୁବତୀ ଜଣକ ତାଙ୍କର ଜଣେ ସାଙ୍ଗ ସହ ସ୍କୁଟିରେ ଯାଉଥିବାବେଳେ ମଦ୍ୟପ ଯୁବକଙ୍କ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ତାଙ୍କୁ ୧୨ କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହି ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଥିଲା ଯାହା ଛାତିକୁ ଥରାଇ ଦେଲାପରି  । ଯୁବତୀଙ୍କ ଶରୀର କାରରେ ଲାଖି ରହିଥିଲା । କାରରେ ୫ ଜଣ ଯୁବକ ଥିଲେ। ଏ ଘଟଣା ପରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।

Related Articles

Back to top button