ମୁକେଶ ଅମ୍ବାନୀଙ୍କୁ ମିଳିବ Z+ ସୁରକ୍ଷା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜଙ୍କ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସୁରକ୍ଷାକୁ ଅଧିକ କଡ଼ାକଡି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ସୂତ୍ରଙ୍କ ଅନୁସାରେ ମୁକେଶ ଅମ୍ବାନୀଙ୍କୁ ଏବେ ‘ଜେଡ୍ ପ୍ଲସ୍’ କ୍ୟାଟଗରୀର ସୁରକ୍ଷା ପ୍ରଦାନ କରାଯାଉଛି। ଏ ପର୍ଯ୍ୟନ୍ତ ତାଙ୍କୁ ‘ଜେଡ୍’ କ୍ୟାଟଗରୀ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ଙ୍କ ରିପୋର୍ଟରେ ଅମ୍ବାନୀଙ୍କ ଲାଗି ବିପଦ ରହିଛି। ଏଣୁ ମନ୍ତ୍ରାଳୟ ତାଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛନ୍ତି।

ତେବେ ତାଙ୍କୁ ଏହି ସୁରକ୍ଷା ପେମେଣ୍ଟ ବେସିସିରେ ଯୋଗାଇ ଦିଆଯାଉଛି। ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରୁ ବିସ୍ଫୋରକ ଭର୍ତ୍ତି ସ୍କୋରପିଓ ମିଳିବା ପରଠାରୁ ତାଙ୍କ ସୁରକ୍ଷା ମଜଭୁତ କରିବା ଲାଗି ବିଚାରବିମର୍ଷ ଚାଲିଥିଲା। ସୁରକ୍ଷା ୟେଲୋ ବୁକ୍ ଅନୁସାରେ ଯେଉଁ ଯେଉଁ ଭିଭିଆଇପିଙ୍କୁ ଜେଡ୍ ପ୍ଲସ୍‌ କ୍ୟାଟଗରୀ  ସୁରକ୍ଷା ଦିଆଯାଏ ତାଙ୍କ ଚତୁପାର୍ଶ୍ୱରେ କଡା ସୁରକ୍ଷା ପ୍ରହରା ବ୍ୟବସ୍ଥା କରାଯାଇଥାଏ। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଜେଡ୍ ପ୍ଲସ କ୍ୟାଟେଗରୀ ସୁରକ୍ଷାରେ ୫୮ ଜଣ କମାଣ୍ଡୋ ମୁତୟନ ହୋଇଥାନ୍ତି।

ଏହି ସୁରକ୍ଷା ବାଦେ ତାଙ୍କୁ ୧୦ ଆର୍ମଡ ଷ୍ଟାଟିକ୍ ଗାର୍ଡ, ୬ ପିଏସଓ, ୨ଟି ଏସ୍କର୍ଟରେ ରାଉଣ୍ଡ ଦି କ୍ଲକ୍ ୨୪ ଜବାନ ଓ ଦୁଇ ସିଫ୍ଟରେ ୫ ୱାଚର ଓ ମୋଟ ସୁରକ୍ଷାର ତଦାରଖ ପାଇଁ  ଜଣେ ଇନିସପେକ୍ଟର ଅଥବା ସବଇନିସପେକ୍ଟର ମୂତୟନ ରହିଥାନ୍ତି। ସେହିପରି ଭିଭିଆଇପିଙ୍କ ଘରକୁ ଯାତାୟାତ କରୁଥିବା ଲୋକଙ୍କ ଫ୍ରିସ୍କିଂ ଓ ସ୍କ୍ରିନିଂ ଲାଗି ୬ ଜଣ ସୁରକ୍ଷା କର୍ମୀ ମୁତୟନ ଥାନ୍ତି। ଏହା ସହ ୨୪ ଘଣ୍ଟା ୬ ପ୍ରଶିକ୍ଷିତ ବାହନ ଚାଳକ ବା ଡ୍ରାଇଭର ନିଯୁକ୍ତ ହୋଇଥାନ୍ତି।

ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ୨୨ ଜୁଲାଇ ୨୦୨୨ରେ କେନ୍ଦ୍ର ସରକାରଙ୍କୁ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରଙ୍କୁ ମୁମ୍ବାଇରେ ସୁରକ୍ଷା କଭର ଜାରି ରଖିବାକୁ ଅନୁମତି ଦେଇଥିଲେ। ଏହା ବ୍ୟତୀତ କୋର୍ଟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରଙ୍କ ସୁରକ୍ଷା ବିରୋଧରେ ତ୍ରିପୁରା ହାଇକୋର୍ଟରେ ରୁଜୁ ପିଟିସନକୁ ଖାରଜ କରିବା ଲାଗି ଆଦେଶ ମଧ୍ୟ ଦେଇଥିଲେ।

Related Articles

Back to top button