ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଲା

ନଖରା: କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀଘାଟରେ ଗାଧୋଇବାକୁ ଯାଇ ୫ ଛାତ୍ର ନଦୀସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ସେ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ଆଶୁତୋଷ ପାଲ। ଅନ୍ୟ ଜଣେ ଛାତ୍ର ଋତୁ ରଞ୍ଜନ ମାଧି ନିଖୋଜ ଅଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ବର ପଟିଆ ଅଞ୍ଚଳରୁ ଗତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୫ଜଣ ଛାତ୍ର ଯଥା ମହାବୀର ଗୌଡ଼, ଶୁଭମ ମହାନ୍ତି,ଲିପୁନ ରାଉତ, ଋତୁ ରଞ୍ଜନ ମାଧି, ଆଶୁତୋଷ ପାଲ ଘରୁ ଦୁଇଟି ସ୍କୁଟି ଯୋଗେ ଟ୍ୟୁସନ ହେଉଥିବା ସ୍ଥାନରେ ଗଣେଶ ପୂଜା ପାଳନ କରିବାକୁ ଆସିଥିଲେ। ପୂଜା ସାରି ଘରକୁ ନ ଫେରି ସେମାନେ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀକୂଳକୁ ଗାଧୋଇବା ପାଇଁ ଆସିଥିଲେ। ପ୍ରଥମେ ଛାତ୍ରମାନେ ନଦୀ କୂଳରେ ସେଲ୍‌ଫି ଉଠାଇ ପରେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ଗାଧୋଇବା ସମୟରେ ନଦୀର ଗଭୀର ପାଣିରେ ୩ ଜଣ ବୁଡ଼ି ଯାଉଥିବା ବେଳେ ୨ଜଣ କୌଶଳ କରି ଉପରକୁ ଚାଲି ଆସି ସ୍ଥାନୀୟ ଲୋକମାନଙ୍କୁ ଡାକିଥିଲେ। ଲୋକମାନେ ଆସି ୩ଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଥିଲେ। ନଦୀ କୂଳଟି ବହୁତ ଗଭୀର ଥିବାରୁ ଅନ୍ୟ ଦୁଇ ଜଣ ରିତୁ ରଞ୍ଜନ ମାଧି ଓ ଆଶୁତୋଷ ପାଲଙ୍କୁ ଉଦ୍ଧାର କରି ପାରି ନ ଥିଲେ। ଖବର ପାଇ ସଦର ଥାନା ପୋଲିସ, ଅଗ୍ନିଶମ ବାହିନୀ କଟକ ଓ ବାରଙ୍ଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଭୀର ନଦୀ ଭିତରେ ପଶି ଉଦ୍ଧାର କରିବା ପାଇଁ ଚେଷ୍ଟା କରି ଆଶୁତୋଷ ପାଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related Articles

Back to top button