
ଗ୍ରହଣଖଣ୍ଡିଆର ଦେୟମୁକ୍ତ ଅସ୍ତ୍ରୋପଚାର ପରେ ନିଜ ହସ ଫେରିପାଇଲେ ୧୨ ଶିଶୁ
ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂସ୍ଥା ସ୍ମାଇଲ ଟ୍ରେନ ସହାୟତାରେ ଓଡ଼ିଶାର ଏକ ଅଗ୍ରଣୀ ସେବା ଅନୁଷ୍ଠାନ ନିର୍ମଳା କୃତି ବିକାଶ ଟ୍ରଷ୍ଟ ତରଫରୁ ସଂପୂର୍ଣ୍ଣ ମାଗଣା ଗ୍ରହଣ ଖଣ୍ଡିଆ ଅପରେସନ ବାଲେଶ୍ଵର ଓମ ହସ୍ପିଟାଲରେ ଆୟୋଜିତ ହୋଇଯାଇଛି।
ଉତ୍ତର ଓଡ଼ିଶାରେ ଶିଶୁ ରୋଗ ପାଇଁ ଡାକ୍ତର ନବକିଶୋର ପ୍ରଧାନଙ୍କ ଏହି ହସ୍ପିଟାଲ ବେଶ ଜଣାଶୁଣା। ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାରୁ ଏବଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିବା ଅନ୍ୟୁନ ତିରିଶ ଜଣ ଗ୍ରହଣଖଣ୍ଡିଆ ରୋଗୀଙ୍କ ମଧ୍ୟରୁ ମାତ୍ର ବାର ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କର ମାଗଣାରେ ଅପରେଶନ କରାଯାଇଛି। ଏହା ସହିତ ଚିକତ୍ସା ପରେ ସେମାନଙ୍କ ରହିବା, ଖାଇବା, ଔଷଧ ଏବଂ ଯାତାୟାତ ଖର୍ଚ୍ଚ ମଧ୍ୟ ସଂପୂର୍ଣ୍ଣ ନିଃଶୁଳ୍କ କରାଯାଇଥିଲା।
ଏହି ସ୍ୱାସ୍ଥ୍ୟ ଶିବିର ସମୟରେ ଗ୍ରହଣ ଖଣ୍ଡିଆ ଯୋଗୁଁ ଅସୁନ୍ଦର ଦେଖାଯାଉଥିବା ଛୋଟ ପିଲାମାନଙ୍କ ବାପା ମା’ଙ୍କର ବ୍ୟସ୍ତତା ଓ ଭୟ ବେଶ ବାରିହୋଇ ପଡୁଥିଲା। ମାତ୍ର ପରେ ଡାକ୍ତରଙ୍କ ଏକ ଘଣ୍ଟାର ଅସ୍ତ୍ରୋପଚାର ସଫଳ ହେବା ପରେ ସବୁରି ମୁହଁରେ ଯେମିତି ହସର ଲହରୀ ଖେଳି ଯାଇଥିଲା।
ଏହି ଚିକତ୍ସା ଶିବିରରେ ଅପରେଶନ କରୁଥିଲେ ଭୁବନେଶ୍ଵରର ଖ୍ୟାତନାମା ପ୍ଲାଷ୍ଟିକ ସର୍ଜନ ଡାକ୍ତର ବିନାୟକ ମିଶ୍ର, ଡାକ୍ତର ଶାନ୍ତନୁ ହାଜାରେ, ବାଲେଶ୍ଵରର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ସହଯୋଗ କରୁଥିଲେ ଏନକେବିଟି ଟ୍ରଷ୍ଟର ସୁଶାନ୍ତ ସେଠୀ, ବୈଜୟନ୍ତି ପଟ୍ଟନାୟକ, ଅଭିରାମ ଘଡେ଼ଇ ଓ ନିଲୁ।
ଏନକେବିଟି ଟ୍ରଷ୍ଟର ଅଧ୍ୟକ୍ଷ ଦିଲ୍ଲୀପ ପଟ୍ଟନାୟକଙ୍କ ଅନୁଯାୟୀ ଏପରି ଦେୟମୁକ୍ତ ଗ୍ରହଣ ଖଣ୍ଡିଆ ଅପରେଶନ ପ୍ରତ୍ୟେକ ମାସରେ କରିବା ପାଇଁ ଚେଷ୍ଟା କରାଯାଉଅଛି। ହେଲ୍ପ ଲାଇନ ନମ୍ବର – ୯୪୩୭୦୧୩୫୨୬ ମାଧ୍ୟମରେ ଗ୍ରହଣ ଖଣ୍ଡିଆ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ଟ୍ରଷ୍ଟକୁ ଯୋଗଯୋଗ କରି ଏହି ସେବା ପାଇପାରିବେ।