ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ପାଇଁ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍‌‌ ହେବେ ମୁତୟନ

ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାର ପରିଚାଳନା ପାଇଁ ଓଡ଼ିଶାରେ ୧୬୫ କମ୍ପାନୀ ସିଏପିଏଫ୍‌‌ ମୁତୟନ ପାଇଁ ବ୍ୟବସ୍ଥା ହୋଇଛି । ତନ୍ମଧ୍ୟରୁ ୮୩ କମ୍ପାନୀ ଇନ୍‌‌ସିଟୁ ମୁତୟନ ଓ ୮୨ କମ୍ପାନୀ ଡାଇରେକ୍ଟ ଇଣ୍ଡକ୍‌‌ସନ୍‌‌ ମାଧ୍ୟମରେ ମୁତୟନ ହେବେ । ରାଜ୍ୟରେ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ତଥା ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଉପରୋକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମତପ୍ରକାଶ କରିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନାନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫ କମ୍ପାନୀ ସିଏପିଏଫ୍‌‌ ଯବାନ୍‌‌ ମୁତୟନ ହୋଇସାରିଛନ୍ତି । ସେମାନେ ବିଭିନ୍ନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ଲକ୍ଷ୍ୟରେ ବିଶ୍ୱାସ ସୃଷ୍ଟି ପାଇଁ ଫ୍ଲାଗ୍‌‌ମାର୍ଚ୍ଚ ଆଦି କରୁଛନ୍ତି । ଆସନ୍ତା ମେ’ ୧ ତାରିଖରେ ଆହୁରି ୪୮ କମ୍ପାନୀ ଓ ୯ ତାରିଖରେ ୪୨ କମ୍ପାନୀ ସିଏପିଏଫ୍‌‌ ଜବାନ୍‌‌ କାର୍ଯ୍ୟରେ ଯୋଗଦେବେ । ଫଳରେ ସର୍ବମୋଟ ମୁତୟନ କମ୍ପାନୀ ୧୬୫ରେ ପହଞ୍ଚିବ । ତନ୍ମଧ୍ୟରୁ ୨୫ କମ୍ପାନୀ ଷ୍ଟ୍ରଙ୍ଗ ରୁମ୍‌‌ର ସୁରକ୍ଷା ଦାୟିତ୍ୱରେ ରହିବେ । ଏହି ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ସାମଗ୍ରିକ ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ଓ ତ୍ରୁଟିଶୂନ୍ୟ ଭାବରେ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପୋଷଣ କରିଛନ୍ତି ।

Related Articles

Back to top button