ଜଟଣୀରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍‌ସର ହସ୍ପିଟାଲ

ଭୁବନେଶ୍ୱର: ଜଟଣୀସ୍ଥିତ ନାଇଜର ପରିସରରେ ଏକ କ୍ୟାନ୍‌ସର ହସ୍ପିଟାଲ ସ୍ଥାପନ କରାଯିବ। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଓ ଟାଟା କ୍ୟାନ୍‌ସର ମେମୋରିଆଲ ସେଣ୍ଟର ମଧ୍ୟରେ ବୁଧବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି ଏବଂ ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ଡା. ରାଜେନ୍ଦ୍ର ବାଦ୍ୱି ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଏହି କ୍ୟାନ୍‌ସର ହସ୍ପିଟାଲ ପାଇଁ ମୋଟ ୬୫୦ କୋଟି ଟଙ୍କା ବ୍ୟୟ ହେବ। ଏହା ମଧ୍ୟରୁ ୪୦୦କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରଣାଳୟ ଏବଂ ୨୫୦ କୋଟି ଟଙ୍କା ଟାଟା ଟ୍ରଷ୍ଟ ଯୋଗାଇଦେବ। ରାଜ୍ୟ ସରକାର ହସ୍ପିଟାଲ ପାଇଁ ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇଦେବେ। ଏଥିସହିତ ରାଜ୍ୟ ସରକାର ରେଡିଓ ଆଇସୋଟୋପ୍ସ ନିମନ୍ତେ ଏକ ସାଇକ୍ଲୋଟ୍ରୋନ୍‌ ମେଶିନ ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ଏହି ହସ୍ପିଟାଲ ନିର୍ମାଣ ପାଇଁ ନାଇଜର ୧୭ ଏକର ଜମି ଦେବ। ପରେ ଏହାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଆଉ ୪୦ ଏକର ଜମି ଯୋଗାଇଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି କ୍ୟାନ୍‌ସର ହସ୍ପିଟାଲ କେବଳ ଓଡ଼ିଶାବାସୀ ନୁହନ୍ତି, ରାଜ୍ୟ ବାହାରର ରୋଗୀଙ୍କ ଚିକିତ୍ସା ଆବଶ୍ୟକତାକୁ ମଧ୍ୟ ମେଣ୍ଟାଇବ। ଏହି ହସ୍ପିଟାଲ ସ୍ଥାପନକୁ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର, ଟାଟା ଟ୍ରଷ୍ଟ ଓ ନାଇଜରକୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରକଳ୍ପ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ବୟର ଏକ ଉଦାହରଣ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ନାଇଜର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ଉପସ୍ଥିତ ଥିଲେ। ଏହି ହସ୍ପିଟାଲରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବ। ହସ୍ପିଟାଲ ପରିସରରେ ରାଜ୍ୟ ସରକାର ଏକ ଆହାର କେନ୍ଦ୍ର ମଧ୍ୟ ଖୋଲିବେ।

Related Articles

Back to top button