ଗଞ୍ଜାମରେ ପୁଣି ୩ଟି ଘର ସମୁଦ୍ରରେ ଲୀନ

ଗଞ୍ଜାମ: ଲଘୁଚାପ କାରଣରୁ ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆରରେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା ଗ୍ରାମର ପୁଣି ୩ଟି ଘର ସମୁଦ୍ରରେ ଲୀନ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ଓ ଥଇଥାନ ପ୍ରକଳ୍ପ (ଓଡ଼ିଆରପି) ଯୋଜନାରେ ଘର ମିଳି ନ ଥିବାରୁ ଗ୍ରାମର ସି.ଏଚ. ନାର୍ସା, ଜେ. ସୁକାନ୍ତି, ଜେ. ଟିଟୁ, ସି.ଏଚ. ବୁଲଡୁ ଓ ଜେ.ଶିବାନନ୍ଦଙ୍କ ପରିବାର ସେଠାରେ ରହିଆସୁଛନ୍ତି। ମଙ୍ଗଳବାର ସି.ଏଚ. ବୁଲଡୁଙ୍କ ଘର ସମୁଦ୍ରରେ ମିଶିଗଲା ପରେ ସେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି। ଅନ୍ୟ ଦୁଇଟି ଘରେ କେହି ରହୁନଥିଲେ ମଧ୍ୟ ସେଗୁଡ଼ିକ ଜୁଆର ମାଡ଼ରେ ଭାଙ୍ଗିଯାଇଛି। ତହସିଲଦାର ଅରୁଣ କୁମାର ନାୟକ ପୋଡ଼ମପେଟା ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଘର ସମୁଦ୍ରରେ ମିଶିଗଲାଣି। ଓଡିଆରପି ଯୋଜନାରେ ୨୦୦୪ ମସିହାରେ ୧୧୦ ପରିବାରକୁ ରାମଗଡ଼ ପଞ୍ଚାୟତର ଡୁମୁନାଗିରି ପାଦଦେଶ ପାଲୁର ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରାଯାଇଥିବା ବେଳେ ୨୦୧୮ ମସିହାରେ ମୟୂରପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାର୍ଶ୍ୱରେ ପ୍ରାୟ ୪୦୦ ପରିବାରକୁ ଥଇଥାନ କରାଯାଇଛି।

Related Articles

Back to top button