ସକାଳ ୮ଟା ଯାଏଁ ଓଡ଼ିଶାରେ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆହୁରି ୩ ଦିନ ଯାଏଁ ଥଣ୍ଡାରେ ଥରିବ ଓଡ଼ିଶା । ୨ରୁ ୩ ଦିନ ଯାଏଁ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମିବା ନେଇ ପୂର୍ବାନୁମାନ ହୋଇଛି । ଶୀତ ଲହରି ନେଇ ଆଜି ଓ କାଲି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କାଲି ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଓ ଢ଼େଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ଜିଲ୍ଲାଗୁଡ଼ିକ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ ।

ଗତ କିଛିଦିନ ହେବ ରାଜ୍ୟରୁ ଶୀତ ସମ୍ପୂର୍ଣ୍ଣ ଉଭେଇ ଯାଇଥିବା ବେଳେ ଏବେ ଶୀତର ପ୍ରାଦୁର୍ଭାବ ଅନୁଭୂତ ହୋଇଛି । ଆଗକୁ ଶୀତର ପରିମାଣ ବୃଦ୍ଧି ପାଇବ ଓ ହାଡ଼ଭଙ୍ଗା ଜାଡ଼ରେ ସାରା ରାଜ୍ୟ ଥରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୁଇଦିନ ଭିତରେ ରାତିର ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି । ଏପରିକି ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଅନୁରୂପ ମତ ପୋଷଣ କରିଛି । ପୂର୍ବ ଦିଗରୁ ସାମୁଦ୍ରିକ ପବନ ବୋହୁଥିବା ଯୋଗୁଁ ଅନେକ ଜାଗାରେ ଦିନର ତାପମାତ୍ରା ହ୍ରାସ ପାଇବା ସହ ପାଗ କୁହୁଡ଼ିଆ ରହିଥିଲା ।

ତେବେ ଦୁଇଦିନ ମଧ୍ୟରେ ଉତ୍ତର ଦିଗରୁ କାଲୁଆ ପବନର ବେଗ ବଢିବାର ସମ୍ଭାବନା ଥିବାରୁ ରାତିର ତାପମାତ୍ରାରେ ହ୍ରାସ ଘଟିବ । ଏପରିକି ରାଜଧାନୀଭୁବନେଶ୍ୱରର ରାତି ତାପମାତ୍ରା ୧୧- ୧୨ ଡିଗ୍ରୀ ରହିପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିବ ବୋଲି ଆକଳନ କରାଯାଇଛି । ଆସନ୍ତା ୪/୫ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ଅଧିକ ରହିବ ବୋଲି କୁହାଯାଉଛି । ଗୁରୁବାର ରାତିରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୧୪, ନୂଆପଡ଼ାରେ ୧୫, ସୁନ୍ଦରଗଡ଼ରେ ୧୫ ଡିଗ୍ରୀ ରହିଥିଲା ।

Related Articles

Back to top button