ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨ ଜିଲାରେ ମୁତୟନ ହେବେ ୩୫ ହଜାର ପୋଲିସ

କାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ୟସ୍ତ କରିବେ । ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏହି ୬ ଲୋକସଭା ଆସନ ଅନ୍ତର୍ଗତ ୪୨ ବିଧାନସଭା ଆସନରେ ବି ନିର୍ବାଚନ ଅନୁଷ୍ଠିତ ହେବ । ଦେଶର ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ହେବ ମତଦାନ ।

ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରାଯିବା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି। ଏନେଇ ଡିଜିପି ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ୍‌ , ୨୦% ସମ୍ବେଦନଶୀଳ ବୁଥ୍‌ ରହିଛି। ତେବେ ନିର୍ବାଚନ ହେଉଥିବା ୧୨ ଜିଲାରେ ୩୫ ହଜାର ପୋଲିସ ମୁତୟନ କରାଯିବ। ୧୨୧ କଂପାନୀ ସିଏପିଏଫ, ୧୨୧ କଂପାନୀ ଓଏସଏପି ରହିବେ। ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍ପି ରହିବେ। ମୋଟ ୪୩ ଏଏସ୍ପି, ୯୫ ଡିଏସ୍ପି, ୨୩୮ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ।

ସେହିପରି ୨୧୬୦ ଏସ୍‌ଆଇ ଓ ଏଏସ୍‌ଆଇ, ୧୦, ୨୧୨ କନଷ୍ଟେବଳ, ୭ ହଜାର ହୋମଗାର୍ଡ ରହିବେ। ଛତିଶଗଡ଼ରୁ ୩ଶହ କନଷ୍ଟେବଳ, ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି। ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ୨୦ କଂପାନୀ ସିଏପିଏଫ ମଧ୍ୟ ଆସିଛନ୍ତି।

Related Articles

Back to top button