ଦାରିଙ୍ଗବାଡ଼ିରେ ରାସ୍ତାରେ ୪ଫୁଟ୍‌ର ପାଣି ଚାଲୁଛି

4-feet-of-flood-water-on-the-road-in-daringwadi

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ସୁଦ୍ଧା ୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ତିଲୋରୀ ପଞ୍ଚାୟତ ସାମନବାଡ଼ି ନିକଟ ପୋଲକୁ ସଂଯୋଗ କରୁଥିବା ରାସ୍ତା ଧୋଇ ହୋଇଯାଇଛି। ସେହିପରି ଉକ୍ତ ବ୍ଳକର ସିମନବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ମୁରୁଡ଼ିକୁପୁଡ଼ା ନିକଟରେ ଏକ ଡାଇଭର୍ସନ ରାସ୍ତା ଉପରେ ୪ଫୁଟ୍‌ର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ ଠପ୍‌ ହୋଇଯାଇଛି। ଉକ୍ତ ରାସ୍ତା ଗତ ରବିବାର ଧୋଇଯାଇଥିବା ବେଳେ ତାକୁ ବୁଧବାର ମରାମତି ପରେ ଯାତାୟତ ସ୍ବଭାବିକ ହୋଇଥିଲା। ପୁଣି ମାତ୍ର ଦୁଇଦିନ ପରେ ବର୍ଷା କାରଣରୁ ଉକ୍ତ ରାସ୍ତା ଉପରେ ବର୍ଷା ଜଳ ୪ଫୁଟ୍‌ ଉଚ୍ଚତାରେ ଯାଉଥିବା ବେଳେ ଭଙ୍ଗା ପୋଲ ନିକଟରେ ପ୍ରାୟ ୫୦ଫୁଟ ପାଣି ଜମି ରହିଛି। ସେହପରି ସିମନବାଡ଼ି ଠାରୁ ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ନଂ ଜାତୀୟରାଜପଥର ଶ୍ରାନିକେତା ଘାଟିରେ ପାଇନ ଗଛ ପଡ଼ିବାରୁ ରାସ୍ତା ଅବରୋଧ ହୋଇଛି। ଅନ୍ୟପଟେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଧାନ ଚାଷ ସମେତ ପନିପରିବା ଚାଷ ମଧ୍ୟ କ୍ଷତି ହୋଇଥିବା ଜଣାପଡ଼ିଛି।

Related Articles

Back to top button