ପୁଣି ଜୁଡ଼ିଆ ଘାଟିରେ ଧସିଲା ପଥର

କେନ୍ଦୁଝର: ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସ୍ଥାନୀୟ ଜୁଡ଼ିଆ ଘାଟିରେ ମାଟି ଓ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ ବ୍ୟାହତ ହୋଇଛି। ସେ ସମୟରେ କୌଣସି ଗାଡ଼ି ଚଳାଚଳ କରୁ ନ ଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି। ମାତ୍ର ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ରାସ୍ତାର ରକ୍ଷଣାବେକ୍ଷଣ କରୁଥିବା ମଣ୍ଟେକାର୍ଲୋ ସଂସ୍ଥା ପକ୍ଷରୁ ରାସ୍ତା ସଫେଇ କାମ ଜାରି ରଖି ଯାତାୟାତ ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି। କିଛିଦିନ ତଳେ ଏହି ଘାଟି ଏଭଳି ପଥର ଓ ମାଟି ଅତଡ଼ା ଖସି ରାସ୍ତାରେ ପଡ଼ିବାରୁ ଯାତାୟାତ ବ୍ୟାହତ ହୋଇଥିଲା। ପାହାଡ଼ରୁ ପଥର, ମାଟି, ଗଛ ଆଦି ନ ଖସିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତାର ଜାଲି ବିଛା ଯାଇଥିଲେ ହେଁ ସେସବୁ ଛିଣ୍ଡି ଯାଉଥିବାରୁ ଯାତାୟାତ କରୁଥିବା ହଜାର ହଜାର ସଂଖ୍ୟାରେ ଟ୍ରକ, ଟ୍ରଲର, ବସ୍‌ ତଥା ଅନ୍ୟାନ୍ୟ ଗାଡ଼ି ଚାଳକ, ଯାତ୍ରୀ ଆଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ଗତ ରବିବାର ଏହି ଏନ୍‌ଏଚର କବିତ୍ରା ନିକଟରେ ରାସ୍ତା ଭୁଶୁଡ଼ି ପଡ଼ିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଥିଲେ ହେଁ ଯାତାୟାତ ସ୍ବାଭାବିକ ହୋଇନାହିଁ ା ଏହାକୁ ନେଇ ଉକ୍ତ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ମଣ୍ଟେକାର୍ଲୋ ସଂସ୍ଥାର ରକ୍ଷଣାବେକ୍ଷଣ ପରିଚାଳକ ସତ୍ୟରଞ୍ଜନ ରାଉତ କହିଛନ୍ତି, ଜୁଡ଼ିଆ ଘାଟିରୁ ଲଗାଣ ବର୍ଷା ପାଇଁ ଏଭଳି ଅତଡ଼ା ଖସୁଛି। ମାଟି ନରମ ଥିବାରୁ ଖସୁଛି। ରାସ୍ତା ସଫା କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ପରିସ୍ଥିତି ଉପରେ ନଜର ରଖାଯାଉଛି। ସେହିପରି ରାସ୍ତାରେ ହୋଇଥିବା ଖାଲ ବନ୍ଦ କରି ନଜର ରଖାଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ଗାଡ଼ି ଚଳାଚଳ ଉପରେ କଟକଣା କରାଯାଉଛି। ବର୍ଷକ ପରେ ସଠିକ୍‌ ଭାବରେ ମରାମତି କାମ କରାଯିବ।

ପ୍ରକାଶ ଯେ, ସିଙ୍ଗଡ଼ାଠାରୁ ବିଞ୍ଜବାହାଳ ପର୍ଯ୍ୟନ୍ତ ଦୀର୍ଘ ୧୦୨ କିମି ରାସ୍ତାର ନିର୍ମାଣରେ ପାଖାପାଖି ୬୦୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ବର୍ଷେ ନ ପୂରୁଣୁ ରାସ୍ତା ଓ ଘାଟି ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିମ୍ନମାନର ତଥା ତ୍ରୁଟିପୂର୍ଣ୍ଣ କାମ ପାଇଁ ଏଭଳି ସମସ୍ୟା ଦେଖାଦେଉଛି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏଣୁ ଏହି କାମର ସଠିକ ଯାଞ୍ଚ କରିବା ସହ ଲୋକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Related Articles

Back to top button