ରାଜ୍ୟରେ ୪୦୦ ଡିଏଲ୍‌ ରଦ୍ଦ, ୭୭ ଗାଡ଼ି ଜବତ

କଟକ: ରାଜ୍ୟ ରାଜପଥରେ ଅଗଷ୍ଟ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇଚକିଆ ଗାଡ଼ିରେ ହେଲ୍‌ମେଟ୍‌ ଯାଞ୍ଚର ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ପ୍ରଥମ ଦିନରେ ୨୦୭୩ଟି ଚାଲାଣ କଟାଯାଇଥିବାବେଳେ ୪୦୦ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ରଦ୍ଦ ଓ ବିନା ଲାଇସେନ୍ସରେ ଚଳାଉଥିବା ୭୭ଟି ଗାଡ଼ିକୁ ଜବତ କରାଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦ୍ୱାରା ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ କରାଯାଇ ମୋଟ୍‌ ୪,୩୦,୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ପ୍ରେସ୍‌ ଇସ୍ତାହାରରେ ସୂଚନା ଦିଆଯାଇଛି। ପରିବହନ ଓ ସଡ଼କ ସୁରକ୍ଷାର ଯୁଗ୍ମ ଆୟୁକ୍ତ ସଞ୍ଜୟ ବିଶ୍ୱାଳ କହିଛନ୍ତି, ଗାଡି ଚାଳକଙ୍କ ମଧ୍ୟରେ ସଚେତନତା ଓ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ଏହି ଡ୍ରାଇଭର ମୁଖ୍ୟ ଲକ୍ଷ୍ୟ। ବିଶେଷକରି ରାଜପଥରେ ଦୁଇଚକିଆ ଗାଡ଼ି ବେଶି ମାତ୍ରାରେ ଦୁର୍ଘଟଣାଗ୍ରସ୍ତ ହେଉଛି। ବାରମ୍ବାର ଏଭଳି ଯାଞ୍ଚ ଫଳରେ ସ୍ଥିତିରେ ନିଶ୍ଚିତ ଭାବେ ସୁଧାର ଆସିପାରିବ। ନିରାପତ୍ତା ଦୃଷ୍ଟିରୁ ଦୁଇଚକିଆ ଗାଡି ଚାଳକ ଓ ଆରୋହୀଙ୍କୁ ଟ୍ରାଫିକ୍‌ ନିୟମ ମାନିବା ସହ ହେଲ୍‌ମେଟ୍‌ ପିନ୍ଧିବାକୁ ବିଶ୍ୱାଳ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ରେ ବିଭିନ୍ନ ସଡ଼କ ଦୁର୍ଘଟଣାରେ ୮୬୮ ଜଣ ଚାଳକ ଓ ୪୪୦ ଜଣ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଲ୍‌ମେଟ୍‌ ପିନ୍ଧି ନ ଥିବା କାରଣରୁ ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ୧୨୮୦ ଜଣ ଗୁରୁତର ଓ ୭୪୭ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

Related Articles

Back to top button