ଏଲଏଏସିରେ ଚାଇନା ପରୀକ୍ଷା କଲା ଏଚକ୍ୟୁ-୧୭-ଏ ପ୍ରତିରକ୍ଷା କ୍ଷେପଣାସ୍ତ୍ର

ବେଜିଂ : ଚାଇନା ପିପୁଲ୍ସ ଲିବରେସନ ଆର୍ମି କ୍ରମାଗତ ଭାବରେ ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ସୀମା ବିବାଦ ମଧ୍ୟରେ ଭାରତର ଏଲଏସି ନିକଟରେ ଥିବା ସାମରିକ ବେସରେ ଆଧୁନିକ ଅସ୍ତ୍ରଶସ୍ତ୍ର ଠୁଳ କରିଆସୁଛି। ସମ୍ପ୍ରତି ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ଜିନଜିଆଙ୍ଗ ମିଲିଟାରୀ କମାଣ୍ଡ ଏକ ଉଚ୍ଚ ଉଚ୍ଚତା ଅଞ୍ଚଳରେ ଏଚକ୍ୟୁ-୧୭-ଏ ନାମକ ଏକ ଭୂପୃଷ୍ଠରୁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ପରୀକ୍ଷା କରିଛି। ଭାରତ-ଆମେରିକା ମିଳିତ ସାମରିକ ଅଭ୍ୟାସ ଆରମ୍ଭ ହେବା ପୂର୍ବରୁ ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ନିକଟରେ (ଏଲଏସି)ରେ ଏଭଳି କରିଛି।

ଅକ୍ଟୋବର ୨୦୧୯ ରେ ଏହାର ଜାତୀୟ ସାମରିକ ଦିବସ ପରେଡରେ ଚାଇନା ଦ୍ୱାରା ଏଚକ୍ୟୁ-୧ର୍୭ଏ ଏୟାର ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ପ୍ରଥମେ ପ୍ରଦର୍ଶନ କରାଯାଇଥିଲା। ରଣନୀତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ-ଆମେରିକା ଆସନ୍ତା ମାସରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ନିକଟରେ ଉତ୍ତରାଖଣ୍ଡରେ ସାମରିକ ଅଭ୍ୟାସ କରିବେ। ଏହା ପୂର୍ବରୁ ଚାଇନା ସୈନ୍ୟ ଏଭଳି କରି ଏଲଏସିରେ ଉତ୍ତେଜନା ସୃଷ୍ଟି କରିଛନ୍ତି।

ପିଏଲଏର ଜିନଜିଆଙ୍ଗ ମିଲିଟାରୀ କମାଣ୍ଡ ଚଳିତ ବର୍ଷ ଏଚକ୍ୟୁ-୧୭-ଏ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀକୁ ସାମିଲ କରିଛି। ବେଜିଂ ପ୍ରଶାସନର ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଅନୁଯାୟୀ,ଏଚକ୍ୟୁ-୧୭-ଏ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ହେଉଛି ସର୍ଚ୍ଚ ରାଡାର, ଗାଇଡ ରାଡାର, ଏୟାର ଡିଫେନ୍ସ ରାଡାର ଏବଂ କମାଣ୍ଡ ସିଷ୍ଟମର ମିଶ୍ରଣ। ଏହା ଏକ ସାମରିକ ଗାଡିରେ ନିୟୋଜିତ ହୋଇପାରିବ, ଯାହା ଚାଲିବା ସମୟରେ ଦୂର ଦୂରାନ୍ତରୁ କ୍ଷେପଣାସ୍ତ୍ରଗୁଡ଼ିକୁ ଚିହ୍ନିବା ଏବଂ ନଷ୍ଟ କରିବା ପାଇଁ କ୍ଷେପଣାସ୍ତ୍ର ନିକ୍ଷେପ କରିବାରେ ସକ୍ଷମ । କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନାର ଏଚକ୍ୟୁ-୧୭-ଏ କ୍ଷେପଣାସ୍ତ୍ର ପ୍ରଣାଳୀ ପ୍ରକୃତରେ ରୁଷିଆର ଟୋର ଏମ-୧ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀର ପ୍ରତିକୃତି । ଏହାର ଅନ୍ୟ ବୈଶିଷ୍ଟ୍ୟ ହେଉଛି ଅନ୍ୟ ଚାଇନିଜ ଡିଭାଇସ ସହିତ ଡାଟା ଲିଙ୍କ ଅଂଶୀଦାର କରିବା। ଏଚକ୍ୟୁ-୧୭-ଏ କ୍ଷେପଣାସ୍ତ୍ର ପ୍ରଣାଳୀର ଓଜନ ପ୍ରାୟ ୧୬୫ କିଲୋଗ୍ରାମ। ଏହାର ଲମ୍ବ ୨.୯ ମିଟର, ବ୍ୟାସ ୦.୨୩ ମିଟର । ଏହା ଦେଢ଼ କିଲୋମିଟରରୁ ୧୫ କିଲୋମିଟର ଦୂରରୁ ଉଡ଼ୁଥିବା ବସ୍ତୁଗୁଡ଼ିକୁ ଚିହ୍ନଟ ଏବଂ ନଷ୍ଟ କରିବାରେ ସକ୍ଷମ। ଏହା ଚାଇନା ଏରୋସ୍ପେସ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି କର୍ପୋରେଶନ ଦ୍ୱାରା ନିର୍ମିତ, ଯାହା ଚାଇନା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହା ନିମ୍ନ ଉଚ୍ଚତା ବିମାନ ହଣ୍ଟର୍‌ ଭାବରେ ମଧ୍ୟ ଜଣାଶୁଣା।

Related Articles

Back to top button