ଆଜି କଟକରେ ଏସସିବି ସମ୍ପ୍ରସାରଣ କାର୍ଯ୍ୟ ଓ ତାଳଦଣ୍ଡା କେନାଲ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

କଟକ: କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ଆଜି କଟକ ଆସି ଏସସିବି ସମ୍ପ୍ରସାରଣ କାର୍ଯ୍ୟ ଓ ତାଳଦଣ୍ଡା କେନାଲ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ । ଏହା ସହ ଛତ୍ରବଜାର ଭେଣ୍ଡିଂ ଜୋନ ଓ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନର ସମୀକ୍ଷା କରିଛନ୍ତି ୫ଟି ସଚିବ।

ସୋମବାର ଭୋର ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ କଟକ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସୂଚନାଅନୁସାରେ, ଏସସିବିର ଏମ୍ସ ପ୍ଲସ କାର୍ଯ୍ୟ ୪୪୦୦ କୋଟିର ଚାଲିଥିବା ବେଳେ ତାଳଦଣ୍ଡା ପୁନଃରୁଦ୍ଧାର କାର୍ଯ୍ୟ ୨୦୦ କୋଟି ଟଙ୍କାର ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଛି । ସେହିଭଳି ଛତ୍ରବଜାର ଭେଣ୍ଡି ଯୋନ ୪ କୋଟିର ଚାଲିଥିବା ବେଳେ ମହାନଦୀରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟ ୫ କୋଟି ଟଙ୍କାର ରାଜ୍ୟ ସରକାର କରୁଛନ୍ତି । ଫାଇଭ ଟି ସଚିବ ଏହି ସମୀକ୍ଷା ବେଳେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ତାଗିଦ କରିଥିଲେ ।

ଏହାସହ କାମର ଗୁଣବତ୍ତାକୁ କୌଣସି ପରିସ୍ଥିତିରେ ସାଲିସ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଫାଇଭ ଟି ସଚିବ । ଏହି ଗସ୍ତ ସମୟରେ ପୂର୍ତ୍ତ ବିଭାଗ ସଚିବ ବିଶାଳ ଦେଵ, ସର୍ବୋଚ୍ଚ ଯନ୍ତ୍ରୀ ତାରା ପଟ୍ଟନାୟକ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ନିଖିଳ ପବନ କଲ୍ୟାଣ, କଟକ ଡିସିପି ପିନାକ ମିଶ୍ର ପ୍ରମୁଖ ବହୁ ଅଫିସର ଉପସ୍ଥିତ ଥିଲେ ।

ଏସ୍‌ସିବି ସମ୍ପ୍ରସାରଣ ପାଇଁ ରାଣୀହାଟ ଛକରେ ଥିବା ୩ ମହଲା ବିଶିଷ୍ଟ ହିନ୍ଦ୍ ସିନେମା ହଲ ଭଙ୍ଗା ଯାଇଥିଲା । ଏସସିବି ମେଡିକାଲ ଓ ତାଳଦଣ୍ଡା କେନାଲ ରାସ୍ତା ସମ୍ପ୍ରସାରଣରେ ହଲ ସମସ୍ୟା ସୃଷ୍ଟି କରୁଥଲା । ଫଳରେ ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା । ଶେଷରେ କୋର୍ଟର ନିର୍ଦ୍ଦେଶ ମୁତାବକ କ୍ଷତିପୂରଣ ଅର୍ଥ ଜମା କରିବା ପରେ ଉଚ୍ଛେଦ ନେଇ ଅନୁମତି ମିଳିଥିଲା । ଏହାପରେ ବିଧିବଦ୍ଧ ଭାବରେ ଏହାକୁ ଭଙ୍ଗାଯିବା ସହିତ ଅଟକି ରହିଥିବା ସମ୍ପ୍ରସାରଣ ତଥା ସୌନ୍ଦର୍ଯ୍ୟକରଣ କାମ ଆଗକୁ ଯାଇଛି । ତେବେ ସମସ୍ତଙ୍କୁ ଥଇଥାନ ଓ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ୫ଟି ବୁଲଡୋଜର ମେସିନ ସାହାଯ୍ୟରେ ହଲ ଓ ଏହାକୁ ଲାଗି ରହିଥିବା ସିଏମସିର ୩୦ଟି ଦୋକାନ ଘରକୁ ପ୍ରଶାସନ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଥିଲା ।

Related Articles

Back to top button