ବେଦବ୍ୟାସ ପୀଠ ପରିଦର୍ଶନ କଲେ ୫ଟି ସଚିବ
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଛନ୍ତି। ୫ଟି ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର ସଭ୍ୟ, ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ। ଆସନ୍ତା ପନ୍ଦର ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ। ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର ବିକାଶ, ନଦୀ ସମୁଖ ଭାଗର ଉନ୍ନତୀକରଣ, ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧାର ବିକାଶ, ଯାତ୍ରୀ ନିବାସ ନିର୍ମାଣ ଏବଂ ଆଲୋକ ଓ ଧ୍ବନୀ ପ୍ରଦର୍ଶନୀ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା।
ବେଦବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥ ସ୍ଥାନ। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏ ପୀଠକୁ ଆସିଥାନ୍ତି। ତେଣୁ ଏ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ଠା ର ସହ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ। ଏ ପୀଠର ରୂପାନ୍ତର କରି ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାର ଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ। ଏହି ପରିଦର୍ଶନ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି ରାଉରକେଲା ମହାନଗର ନିଗମ କମିସନର ଶୁଭଙ୍କର ମହାପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।