ବଡ଼ମ୍ବା ଟି-ବ୍ରିଜ୍‌ ଦଳାଚକଟା ଘଟଣାରେ ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ସହ ଆହତଙ୍କୁ ମାଗଣା ଚିକିତ୍ସା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ମ୍ବା ସିଂହନାଥ ମନ୍ଦିର ଟି-ବ୍ରିଜରେ ଦଳାଚକଟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଅହି ଅଘଟଣରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ମକର ମେଳା ପାଇଁ ଲକ୍ଷାଧିକ ଲୋକ ଏହି ବ୍ରିଜ୍‌ ଯୋଗ ସିଂହନାଥ ପୀଠକୁ ଦର୍ଶନ ନିମନ୍ତେ ଆସିଥିଲେ। ସିଂହନାଥ ପୀଠ ନିକଟ ମେଳା ପଡ଼ିଆରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ଏହି ମେଳାରେ କଟକ, ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରବଳ ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଟି ବ୍ରିଜ ଉପରେ ଦଳାଚକଟା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ସେମାନଙ୍କୁ ବଡମ୍ବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି।

ମହାନଦୀ ଉପରେ କିଛି ମାସ ତଳେ ଏହି ବ୍ରିଜ୍‌ ଲୋକାର୍ପିତ ହୋଇଥିଲା। ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ ଯୋଗେ ଲୋକଙ୍କୁ ସିଂହନାଥ ପୀଠ ଏବଂ ମେଳା ପଡ଼ିଆରେ ପହଞ୍ଚିବା ସୁଗମ ହୋଇଥିବାରୁ ଆଜି ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ବ୍ରିଜ୍‌ର ଗୋଟିଏ ପାର୍ଶ୍ୱରେ ପଦଚଲା ଲୋକେ ଯାଉଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟତ କରୁଥିଲା। ବ୍ରିଜ ଉପରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଟି-ବ୍ରିଜ ଉପରେ ଏହି ଅଘଟଣ ପରେ ଘଟଣାସ୍ଥଳରେ ବୈଦେଶ୍ବର ଆଇଆଇସି, ଆଠଗଡ଼ ଏସଡିପିଓ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ଆଠଗଡ଼ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି ।

Related Articles

Back to top button