ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ଗୋବିନ୍ଦଙ୍କୁ କେଉଁମାନେ ଜେଲରେ ଭେଟିଥିଲେ ସେନେଇ ହେଉଛି କ୍ରାଇମବ୍ରାଞ୍ଚ ତଦନ୍ତ

କଣ୍ଟାବାଞ୍ଜି: ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ବି ଜେଲ ପରିସରରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍। ଆଜି ଷଷ୍ଠ ଦିନରେ ପହଞ୍ଚିଛି ଏହି ତଦନ୍ତ। ଗୋବିନ୍ଦଙ୍କୁ କେଉଁମାନେ ଜେଲରେ ଭେଟିଥିଲେ ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବ ବୋଲି ଜଣାଯାଇଛି।
ପ୍ରତିଦିନ ଏହି ମୃତ୍ୟୁ ଘଟଣାକୁ ନେଇ ନୂଆନୂଆ ତଥ୍ୟ ଶୁଣିବାକୁ ମିଳୁଛି। ଏପରିସ୍ଥଳେ, ୧୭୬ ସିଆର୍ପିସି ଅନୁସାରେ ଜଣେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏହି ମାମଲାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ଏନ୍ଏଚ୍ଆର୍ସି ଗାଇଡ୍ଲାଇନ୍ସ ଅନୁସାରେ  ତଦନ୍ତ କରାଯିବ। ଏ ନେଇ ଡାଇରେକ୍ଟର ଅଫ୍ ପ୍ରିଜନ୍ ଆଣ୍ଡ କରେକ୍ସନାଲ ସର୍ଭିସ ପକ୍ଷରୁ ଚିଠି ହୋଇଥିବା ସୂଚନା ମିଳିଛି।
ଗୋବିନ୍ଦ ସାହୁର ଆତ୍ମହତ୍ୟା ଘଟଣାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ଏଯାବତ୍ ମିଳିପାରିନାହିଁ। ଶୁଣିବାକୁ ମିଳୁଛି ଯେ ମମିତା ମେହେର ହତ୍ୟା ମାମଲାର ପ୍ରକ୍ରିୟା ଦ୍ରୁତଗତିରେ ଚାଲୁଥିବାରୁ ଏହାକୁ ନେଇ ସେ ଚିନ୍ତାରେ ଥିଲା। ତେବେ, ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଗତ ୨ ତାରିଖ ଦିନ ମହାଲିଙ୍ଗ କଲେଜର ଅଧ୍ୟକ୍ଷ ଓ ତାଙ୍କ ସହଯୋଗୀ ଜେଲ୍ ଯିବାପରେ ତା’ର ଚାପ ବଢ଼ିଯାଇଥିଲା। ସର୍ବସମ୍ମୁଖରେ କେହି କହୁନଥିଲେ ବି ଜେଲ୍ ଭିତରେ ଉଚ୍ଚବାଚ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ, ପରିବାର ଚିନ୍ତାରେ ଥିବା ଗୋବିନ୍ଦ ସଜା ହୋଇଯିବାର ଭୟଭୀତ ହୋଇଯାଇଥିଲା। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ, ତଦନ୍ତ ପରେ ଏହା ସ୍ପଷ୍ଟହେବ।
ଅନ୍ୟପକ୍ଷରେ, ଗତ ୨୦ତାରିଖରେ ଗୋବିନ୍ଦର ଜ୍ୟାକେଟ୍ରୁ ଜବତ ହୋଇଥିବା ଚିଠି ଏବେ ବି ରହସ୍ୟ ଘେରରେ ରହିଛି। ସେହିଦିନ
ବେଶ୍ ଚାଲାକିରେ ପୁଲିସ ଉକ୍ତ ଚିଠିକୁ ପରିବାରବର୍ଗଙ୍କ ଉପସ୍ଥିତିରେ ସିଲ୍ କରିଥିଲା। ଗୋବିନ୍ଦର ମୃତ୍ୟୁଦିନ ପରିବାରବର୍ଗ ଓ ସଂପର୍କୀୟ ଯେତେଜଣ କଣ୍ଟାବାଞ୍ଜି ଆସିଥିଲେ, ସେମାନଙ୍କ ଉପସ୍ଥିତି ସମୟରେ ଜ୍ୟାକେଟରୁ ଲଫାପା ବାହାର କରି ଦେଖାଇଥିଲା ପୁଲିସ। ଲଫାପା ଦେଖାଇବା ସମୟର ଭିଡିଓ ବି ରେକର୍ଡ କରାଯାଇଥିଲା। କିନ୍ତୁ, ଲଫାପା ଭିତରେ ଥିବା ହାତଲେଖା ଦେଖାଯାଇନଥିଲା। କ’ଣ ଲେଖା ରହିଛି ତାହା କୁହାଯାଇନଥିଲା। କ୍ରାଇମ୍ବ୍ରାଞ୍ଚ୍ ଟିମ୍ ମହାଲିଙ୍ଗ ତଦନ୍ତ ପାଇଁ ଯିବା ସମୟରେ ବି ଚିଠି ସଂପର୍କରେ ଗୋବିନ୍ଦର ଝିଅ ପଚାରିଥିଲେ। ହେଲେ, କେହି କିଛି ଉତ୍ତର ରଖିନଥିବା ଜଣାପଡ଼ିଛି। କ୍ରାଇମ୍ବ୍ରାଞ୍ଚ୍ ଆଇଜିଙ୍କ କହିବାନୁସାରେ, ଏକ ବଡ଼ ଟିମ୍ ଏହାର ତଦନ୍ତ କରୁଛି। ଟିକିନିକି ତଦନ୍ତ ଚାଲିଛି। କ୍ରାଇମ୍ବ୍ରାଞ୍ଚ୍ ଡିଏସ୍ପିଙ୍କ କହିବା ହେଲା, ତଦନ୍ତ ଚାଲିଛି ଓ ଯାହା କହିବେ ଉପରିସ୍ଥ ଅଧିକାରୀ ହିଁ କହିବେ।

Related Articles

Back to top button