ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ସମନ୍ବୟ ବୈଠକ ଅନୁଷ୍ଠିତ

ଆସନ୍ତା ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରୀ ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ନୀତି ପ୍ରଶାସକ, ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଓ ପରିଚାଳନା କମିଟି ସେବାୟତ ସଦସ୍ୟମାନେ ଉପସ୍ଥିତ ଥିଲେ ।

ତେବେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ସମସ୍ତ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ସମସ୍ତ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ପାନୀୟ ଜଳ ଯୋଗାଣ ଓ ଜଳ ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯିବ । ମେ’ ୧୦ ତାରିଖରେ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ନନ୍ଦା, ଭଦ୍ରା ଓ ବୈଜୟନ୍ତରୀ ଡଙ୍ଗାରେ ବସି ନରେନ୍ଦ୍ର ସରୋବରରେ ଜଳକ୍ରୀଡ଼ା କରିବେ । ତେଣୁ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ ।

Related Articles

Back to top button