ବିବାହ ପ୍ରମାଣପତ୍ର ଦେଇ ପାରିବେନି ନୋଟାରି

ବିବାହ ପ୍ରମାଣପତ୍ର ନୋଟାରି ପବ୍ଲିକ୍ ଜାରି କରିବ‌ା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ବିବାହ ସଂପର୍କିତ ପ୍ରମାଣପତ୍ର ଜାରି ନ କରିବାକୁ ଆଇନ ବିଭାଗ ନୋଟାରିମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏଥିସହିତ ଏହି ପ୍ରସଂଗରେ ସୁପ୍ରିମକୋର୍ଟ, ଓଡ଼ିଶା ହାଇକୋର୍ଟ ଓ ଅନ୍ୟ ହାଇକୋର୍ଟଙ୍କ ରାୟ ରହିଛି। କିନ୍ତୁ ଅଧିକାଂଶ ନୋଟାରି ଏ ନେଇ ଅବଗତ ନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ନୋଟାରିଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୋଟାରିଙ୍କ ପାଇଁ ଆଭାସୀ ମାଧ୍ୟମରେ ନିୟମିତ ଭାବେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନୋଟାରି ଆଇନର ଧାରା ୮ ଅନୁସାରେ ନୋଟାରିଙ୍କ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିବେ। ‌େନାଟାରିଙ୍କ କାର୍ଯ୍ୟ ଓ କ୍ଷମତା ପରିସର ନେଇ ଗାଇଡଲାଇନରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ଅନ୍ୟପଟେ ଅନେକ ସମୟରେ ସତ୍ୟପାଠ ଦେଉଥିବା ବ୍ୟକ୍ତି ନୋଟାରିଙ୍କ ପାଖରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶପଥ ନେଉ ନାହାନ୍ତି। ଆଇନଜୀବୀ ବା ଆଇନଜୀବୀଙ୍କ କ୍ଲର୍କ ପକ୍ଷଙ୍କ ଦସ୍ତଖତ ସମ୍ବଳିତ ସତ୍ୟପାଠ ନେଇ ନୋଟାରିଙ୍କ ପାଖକୁ ଯାଉଛନ୍ତି। ନୋଟାରି ମଧ୍ୟ ଏଭଳି ନଥିପତ୍ରରେ ଥିବା ପକ୍ଷଙ୍କ ଦସ୍ତଖତକୁ ଯାଞ୍ଚ ନ କରି ଏହାର ଆଟେଷ୍ଟେସନ କାର୍ଯ୍ୟ ସଂପାଦନ କରୁଛନ୍ତି। ଏଭଳି କାର୍ଯ୍ୟ ନୋଟାରି ଆଇନ ଓ ଏ ସଂପର୍କିତ ନିୟମାବଳୀର ଉଲ୍ଲଂଘନ ବୋଲି ହାଇକୋର୍ଟ କହିଛନ୍ତି। ଆଇନ ଅନୁସାରେ ନୋଟାରିମାନେ ଏକ ରେଜିଷ୍ଟର ରଖିବା କଥା। ଏଥିରେ କେଉଁ ତାରିଖରେ ସତ୍ୟପାଠ ହୋଇଥିଲା ବା ନଥିପତ୍ର ନୋଟାରାଇଜ୍ କରାଯାଇଥିଲା ତାହା ଉଲ୍ଲେଖ କରାଯିବା ସହିତ ପକ୍ଷଙ୍କ ଦସ୍ତଖତ ରଖାଯିବା କଥା। ଏଥିରୁ ସଂପୃକ୍ତ ବ୍ୟକ୍ତି ସତ୍ୟପାଠ ବେଳେ ଶପଥ ନେବା ପାଇଁ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିବା ସ୍ପଷ୍ଟ ହେବ। ଏଥିସହିତ ନିୟମ ଅନୁସାରେ ସବୁ ନୋଟାରିଙ୍କ ରେଜିଷ୍ଟର ଜିଲ୍ଲା ଜଜ୍ ବା ସରକାରଙ୍କ ଦ୍ବାରା ନିଯୁକ୍ତ ଅଧିକାରୀଙ୍କ ଦ୍ବାରା ଯାଞ୍ଚ ହେବା କଥା। ଯାଞ୍ଚ ବେଳେ ଅନିୟମିତତା ଜଣାପଡ଼ିଲେ ଜିଲ୍ଲା ଜଜ୍ ବା ଅଧିକାରୀ ଆବଶ୍ୟକ ସ୍ଥଳେ ନୋଟାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରିପୋର୍ଟ ଦାଖଲ କରିପାରିବେ। ନୋଟାରି ଆଇନ ଓ ନିୟମାବଳୀରେ ଥିବା ବ୍ୟବସ୍ଥା କଡ଼ାକଡ଼ି ପାଳନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଆଇନ ଓ ନିୟମ ଅନୁସାରେ ନୋଟାରିମାନେ କାର୍ଯ୍ୟ କରିବା ପ୍ରସଂଗ ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ କହିଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଏହାର କପି ଆଇନ ସଚିବଙ୍କୁ ପ୍ରଦାନ କରିବେ। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜ‌ଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପତ୍ନୀଙ୍କୁ ଉଦ୍ଧାର କରି ତାଙ୍କ ଜିମାରେ ଦିଆଯାଉ ବୋଲି ଦର୍ଶାଇ ଜଣେ ବ୍ୟକ୍ତି ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବିବାହ ସଂପର୍କିତ ପ୍ରମାଣ ସ୍ବରୂପ ନୋଟାରିଙ୍କ ନିକଟରେ ପ୍ରସ୍ତୁତ କରାଯାଇଥିବା ଘୋଷଣାନାମା (ମ୍ୟାରେଜ ଡିକ୍ଲାରେସନ୍) ଉପସ୍ଥାପନ କରାଯାଇଥିଲା। ବିବାହ ଘୋଷଣାନାମାରେ ଆବେଦନକାରୀ ଓ କନ୍ୟା ଦସ୍ତଖତ କରିଥିବା ଦେଖିବାକୁ ମିଳିଥିଲା। ନୋଟାରିଙ୍କ ପାଖରେ ଉଭୟ ଏହି ଘୋଷଣାନାମା ନେଇ ଶପଥପାଠ କରିଥିଲେ। କେଉଁ ଆଇନଗତ ପ୍ରମାଣ ଆଧାରରେ ଏହି ବିବାହ ଘୋଷଣାନାମା ନୋଟାରିଙ୍କ ନିକଟରେ ପ୍ରସ୍ତୁତ କରାଯାଇଛି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ନୋଟାରିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ପୁଲିସ ନିକଟରୁ ମଧ୍ୟ ରିପୋର୍ଟ ତଲବ କରିଥିଲେ। ଶୁଣାଣି ସମୟରେ ଦାଖଲ ରିପୋର୍ଟରୁ ଓ ମହିଳାଙ୍କ ବୟାନରୁ କୌଣସି ବିବାହ ମନ୍ଦିରରେ ହୋଇ ନଥିବା ସ୍ପଷ୍ଟ ହୋଇଥିଲା। କେବଳ ନୋଟାରିଙ୍କ ନିକଟରେ ଘୋଷଣାନାମା କରାଯାଇଥିଲା। ନୋଟାରିଙ୍କ ନିକଟରେ କରାଯାଇଥିବା ଘୋଷଣାନାମାରେ ଉଲ୍ଲେଖ କରାଯାଇଥିବା ତଥ୍ୟ ମିଛ ବୋଲି ଜଣାପଡ଼ିଥିଲା। ସିମୂଳିଆର ନୋଟାରି ଏ.କେ.ମହାନ୍ତି ସତ୍ୟପାଠ ଦାଖଲ କରି ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବେ ନାହିଁ ବୋଲି କହିଥିଲେ। ହାଇକୋର୍ଟ ତାଙ୍କ ସତ୍ୟପାଠକୁ ଗ୍ରହଣ କରିଥିଲେ। ମାମଲାରେ ଆଉ କୌଣସି ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନା କରିବା ସହିତ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Related Articles

Back to top button