
ଶତାଧିକ ଶ୍ରଦ୍ଧାଳୁଙ୍କୁ ନେଇ ଅନୁଗୁଳରୁ ଅଯୋଧ୍ୟା ଗଡ଼ିଛି ସ୍ବତନ୍ତ୍ର ଆସ୍ଥା ଟ୍ରେନ
ପ୍ରତିଦିନ ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ। ପ୍ରଭୁଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ । ତେବେ ଏହି ଅବସରରେ ଶୁକ୍ରବାର ଦିନ ଶତାଧିକ ଶ୍ରଦ୍ଧାଳୁଙ୍କୁ ନେଇ ଅନୁଗୁଳରୁ ଅଯୋଧ୍ୟା ଗଡ଼ିଛି ସ୍ବତନ୍ତ୍ର ଆସ୍ଥା ଟ୍ରେନ ।
ଅନୁଗୁଳ ଷ୍ଟେସନରୁ ଯାତ୍ରୀମାନଙ୍କୁ ନେଇ ଏହି ଆସ୍ଥା ଟ୍ରେନ ଯାତ୍ରା ଆରମ୍ଭ କରିଛି। ଅନୁଗୁଳରୁ ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାର ଶ୍ରଦ୍ଧାଳୁମାନେ ଏହି ଟ୍ରେନ ଯୋଗେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାର ଦର୍ଶନ ନଗର ଯାତ୍ରା କରିଛନ୍ତି। ଏହି ସ୍ୱତନ୍ତ୍ର ଆସ୍ଥା ଟ୍ରେନ ଶୁକ୍ରବାର ଦିନ ଭୋର ୪ଟାରୁ ଅନୁଗୁଳ ଜିଲ୍ଲାରୁ ୫୦୦ରୁ ଉର୍ଦ୍ଧ୍ବ ଏବଂ ସମୁଦାୟ ୧୪୭୨ ଜଣ ରାମଭକ୍ତଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା। ଅନୁଗୁଳରୁ ଏହି ସ୍ୱତନ୍ତ୍ର ଟ୍ରେନ ବାହାରି ଥିବାବେଳେ ଢେଙ୍କାନାଳ ଷ୍ଟେସନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲା। ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ରାଜ୍ୟ ଉପ ସଭାପତି ଗୋଲଖ ମହାପାତ୍ର ଉକ୍ତ ଟ୍ରେନକୁ ଲାଇଟ ଦେଖାଇ ଶୁଭାରମ୍ଭ କରିଥିବା ବେଳେ NSIC ଡାଇରେକ୍ଟର କାଳିନ୍ଦୀ ସାମଲ ଏବଂ ବିଜେପି ଜିଲ୍ଲା ସଭାପତି ଦୀଲେଶ୍ୱର ପ୍ରଧାନଙ୍କ ଉପସ୍ଥିତିରେ ଅନୁଗୁଳ ରେଳ ଷ୍ଟେସନରୁ ରାମଭକ୍ତମାନେ ଯାତ୍ରା ଆରମ୍ଭ କରିଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ର ,ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଉପସ୍ଥିତ ଥିଲେ।ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେଦ୍ର ପ୍ରଧାନ ସମ୍ବଲପୁର ଗସ୍ତ ବେଳେ ସମ୍ବଲପୁର ରେଳ ଷ୍ଟେସନରେ ସମ୍ବଲପୁର-ଦର୍ଶନ ନଗର-ସମ୍ବଲପୁର ଆସ୍ଥା ସ୍ଵତନ୍ତ୍ର ଟ୍ରେନର ଶୁଭାରମ୍ଭ ମଧ୍ୟ କରିଥିଲେ।