ଖଲ୍ଲିକୋଟ ହତ୍ୟା ମାମଲାର ତଦନ୍ତ କରିବ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ

ଖଲ୍ଲିକୋଟ ହତ୍ୟା ମାମଲାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏକଆଇଟି) ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ବୋଲି ପୁଲିସ ମହାନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ଅଦ୍ୟାବଧି ହତ୍ୟାକାଣ୍ଡରେ ସମ୍ପୃକ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ। ଏହା ସହ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯିବ ଏବଂ ଏହି ହତ୍ୟା ମାମଲାର ଶୀଘ୍ର ବିଚାର କରାଯିବା ନିମନ୍ତେ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ଡିଜିପି ଶ୍ରୀ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ଏହି ଅନୁସନ୍ଧାନକାରୀ ଦଳ ସମୟ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜିଙ୍କୁ ରିପୋର୍ଟ ପ୍ରଦାନ କରିବେ।

ଏହା ସହ ପ୍ରାକ ନିର୍ବାଚନ ହିଂସାକୁ ଦୃଷ୍ଟିରେ ରଖି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ରାଧା କିଶନ ଶର୍ମା, ଆଇପିଏସ୍ ଛତ୍ରପୁରରେ ଅବସ୍ଥାନ କରିବେ ଏବଂ ଗଞ୍ଜାମ ଜିଲାର ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିବେ। ସେ ୧୭ ମେ’ ଠାରୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ଛତ୍ରପୁରରେ ଅବସ୍ଥାନ କରି ଆଇନ ଓ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ନଜର ରଖିବେ।

Related Articles

Back to top button