ପାଣ୍ଡିଆନ ରଖିଛନ୍ତି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି : ହିମନ୍ତ ବିଶ୍ଵଶର୍ମା

 ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ଆମ ପାଖରେ ନାହିଁ । କେଉଁଆଡ଼େ ଗଲା ତାହା ଜଣାନାହିଁ । ରତ୍ନଭଣ୍ଡାରର ଚାବି ପାଣ୍ଡିଆନ ରଖିଛନ୍ତି । ସେ ଜୁନ୍ ୧୦ ତାରିଖ ପୂର୍ବରୁ ରତ୍ନଭଣ୍ଡାର ଖୋଲନ୍ତୁ । ନହେଲେ ଜୁନ ୧୦ ତାରିଖ ପରେ ବିଜେପି ସରକାର ଗଢ଼ିଲେ ଆମେ ଚାବି କାଢ଼ିବୁ । ରତ୍ନଭଣ୍ଡାରର ଚାବି ଆମେ ଖୋଜିକି ଦେବୁ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶ୍ୱର୍ମା ଶୁକ୍ରବାର ଏହା କହିଛନ୍ତି ।

ଗଂଜାମ ଜିଲ୍ଲା ଆସିକା ଲୋକସଭା କ୍ଷେତ୍ର ଅଧୀନ କବିସୂର୍ଯ୍ୟନଗରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶ୍ରୀ ବିଶ୍ୱଶର୍ମା ଭକ୍ତଙ୍କ ଦର୍ଶନ ନେଇ କହିଛନ୍ତି, ବିଜେପି ରାଜ୍ୟରେ ସରକାରକୁ ଆସିଲେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବ । ଏହା ଦ୍ୱାରା ଭକ୍ତମାନେ ସୁବିଧା ଓ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଶ୍ର୍ରୀ ବିଶ୍ୱଶର୍ମା କହିଛନ୍ତି ଯେ, ମୋଦୀ ସରକାର ଚାଷୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ମୁଁ ଆସାମରୁ ଆସିଛି । ସେଠାରେ ମଧ୍ୟ ବିଜେପି ସରକାର ଅଛି । ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ସରକାର ଅଛି । ଆପଣ ଜାଣି ଖୁସି ହେବେ ଆସାମରେ ମହିଳାମାନଙ୍କୁ ପ୍ରତି ମାସ ୧୦ ତାରିଖ ଦିନ ୧୨୫୦ ଟଙ୍କା ମିଳିଥାଏ । ଏହି ଟଙ୍କା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥାଏ । ସେହିପରି ଛତିଶଗଡ଼ରେ ୧୦୦୦ ଓ ମଧ୍ୟପ୍ରଦେଶରେ ୧୨୫୦ ଟଙ୍କା ପ୍ରତି ମହିଳାଙ୍କୁ ମିଳିଥାଏ । ଓଡ଼ିଶା ଠାରୁ ଆସାମ ବହୁତ ଛୋଟ । ଆସାମରେ ସମ୍ବଳ ମଧ୍ୟ ଓଡ଼ିଶା ତୁଳନାରେ କମ ଅଛି । ତଥାପି ଆମେ ମହିଳାମାନଙ୍କୁ ପ୍ରତିମାସ ୧୨୫୦ ଟଙ୍କା ଦେଉଛୁ ।

ସେହିପରି ଚାଷୀ ପ୍ରସଙ୍ଗରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ରେ ଧାନ କୁଇଣ୍ଟାଲ ୩୧,୦୦ ଟଙ୍କା ଅଛି । ଓଡ଼ିଶା ସରକାର ଏହା ଜାଣିପାରୁ ନାହାନ୍ତି କି? ଓଡ଼ିଶାରେ ଚାଷୀମାନେ ଧାନ କୁଇଣ୍ଟାଲ ପିଛା ୨୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଏଥିରେ ପୁଣି କଟନି ଛଟନି ସମସ୍ୟା ରହିଛି । ଓଡ଼ିଶାରେ ବିଜେପି ସରକାର ଆସିଲେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ସେ ଆହୁରି କହିଛନ୍ତି ଯେ, ପ୍ରତି ଔଷଧର ଏକ୍ସପାରି ଡେଟ୍ ଥାଏ । ସେହିପରି ବିଜେଡିର ସମୟ ସରିଆସୁଛି । ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଚାଉଳ ଦେଉଛନ୍ତି । ଲୋକେ ଭୋକିଲାରେ ନରହିବେ ବୋଲି ମୋଦୀ ଏହି ଚାଉଳ ପଠାଉଛନ୍ତି । କିନ୍ତୁ ଓଡ଼ିଶାରେ ବିଜେଡି ସରକାର ଚାଉଳ ଆଣିବା ପାଇଁ କେବଳ ବ୍ୟାଗ୍ ଦେଉଛନ୍ତି । ଏହି ବ୍ୟାଗ୍ ଦେବାରେ ପାଣ୍ଡିଆନ୍‌ଙ୍କ ଭୂମିକା ରହିଛି । ବ୍ୟାଗ୍ ଗୁଡ଼ିକ ତାମିଲନାଡୁରୁ ଅଣାଯାଇଛି ।

ସମାରୋହରେ ବିଜେପିର ଆସିକା ଲୋକସଭା ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କ ସମେତ ଏହି ଆସନ ଅଧୀନ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

Related Articles

Back to top button