ରାଜ୍ୟରେ ପ୍ରତିବବର୍ଷ ହେବ ବାଘ ଗଣନା

ସାତକୋଶିଆରେ ଗୋଟିଏ ବି ମହାବଳ ବାଘ ନାହାଁନ୍ତି । ବାଘ ଗଣନା ରିପୋର୍ଟ ଆସିବା ପରେ ଏଭଳି ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଏହା ପରେ ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଜନବସତିକୁ ସମ୍ପୂର୍ଣ୍ଣ ବିସ୍ଥାପିତ କରିବା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଛଡାଯିବା ନେଇ ଯୋଜନା କରାଯିବ । ଶିମିଳିପାଳରେ ବାଘ ସଂଖ୍ୟା ବଢିବା ପରେ ନୂଆ ଟେରିଟରି ସନ୍ଧାନରେ ଅଛନ୍ତି ମହାବଳ । ତେଣୁ କେନ୍ଦୁଝର, ହଦଗଡ଼ ଓ କୁଲଡ଼ିହାକୁ ମିଶାଇ ଗ୍ରେଟର ଶିମିଳିପାଳ ଲ୍ୟାଣ୍ଡସ୍କେପ ବିକାଶ କରାଯାଉଛି ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

କ୍ୟାମେରା ଟ୍ରାପ ଜରିଆରେ ମହାବଳ ବାଘଙ୍କ ସ୍ଥିତି ଉପରେ ରହିବ ନଜର । ସୂଚନା ଅନୁସାରେ, ସର୍ବଭାରତୀୟ ବାଘ ଆକଳନ-2022 ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା 17 ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମ ଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ଗତକାଲି ପ୍ରକାଶ ପାଇଛି । 2022 ମସିହା ବାଘ ଗଣନା ରିପୋର୍ଟକୁ ଏବେର ରିପୋର୍ଟ ସହ ତୁଳନା କଲେ ମହାବଳ ବାଘ ସଂଖ୍ୟା ପ୍ରାୟ 50 ପ୍ରତିଶତ ବଢ଼ିଛି । ଗତକାଲି ପ୍ରକାଶ ପାଇଥିବା ବାଘ ଗଣନା ରିପୋର୍ଟରେ ରାଜ୍ୟରେ 30 ଟି ମହାବଳ ଓ 8ଟି ଶାବକ ଥିବା ଜଣାପଡ଼ିଛି । ସେଥିରୁ ଶିମିଳିପାଳରେ 27 ଟି ମହାବଳ ବାଘ ସହ 8 ଶାବକ ଥିବା ବେଳେ କେନ୍ଦୁଝର, ପାରଳାଖେମୁଣ୍ଡି ଓ ହୀରାକୁଦ ବନଖଣ୍ଡରେ ଗୋଟିଏ ଲେଖାଏଁ ମହାବଳଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ।

କିନ୍ତୁ ଚିନ୍ତା ବଢାଉଛି ରାଜ୍ୟରେ କଳା ବାଘ ସଂଖ୍ୟା । ବର୍ତ୍ତମାନ ଶିମିଳିପାଳରେ ଅଛନ୍ତି 13 ଟି କଳା ବାଘ । ଇନ୍ ବ୍ରିଡ଼ିଂ ଯୋଗୁଁ କଳା ବାଘଙ୍କ ସଂଖ୍ୟା ବଢ଼ୁଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ଏହି ସମସ୍ୟାର ସମାଧାନ ପାଇଁ ଅନ୍ୟ ସ୍ଥାନରୁ ବାଘୁଣୀ ଆଣି ଶିମିଳିପାଳରେ ଛାଡିବାକୁ ଯୋଜନା କରାଯାଉଛି । ଏଥିପାଇଁ NTCA ଓ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟଟ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି ‍‍ବୋଲି କହିଛନ୍ତି ପିସିସିଏଫ୍ ।

Related Articles

Back to top button