ଆମପାଣି ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋକସରା: ୨୬ ନମ୍ବର ଜାତୀୟ ରାଜପଥ କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ବୁଧବାର ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଆଜି ଅପରାହ୍ନରେ ଭବାନୀପାଟଣାରୁ ଜୟପୁର ଯାଉଥିବା ଓଆର୍‌୧୦ଏଫ୍‌ ୪୦୦୩ ନମ୍ବର ଏସ୍‌ବିଏମ୍‌ଏସ୍‌ ନାମକ ଏକ ବେସରକାରୀ ଯାତ୍ରୀବାହୀ ବସ୍‌କୁ ବିପରୀତ ଦିଗରୁ ଆସୁଥିବା ଓଡି ୧୫ପି ୭୫୩୧ ନମ୍ବରର ଏକ ରନ୍ଧନ ଗ୍ୟାସ ବୋଝେଇ ଟ୍ରକ ସାମ୍ନାସାମ୍ନି ଧକ୍କା ଦେଇଥିବା ବେଳେ ବସ୍‌ର ସମ୍ମୁଖ ପଟରେ ଥିବା କାଚ ଭାଙ୍ଗିଯାଇଛି। ଏଥିସହ କ୍ୟାବିନରେ ବସିଥିବା କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଟ୍ରକ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଆମପାଣି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି। ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Related Articles

Back to top button