
୨୬ରେ ଭୀଷଣ ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ରର ଆକଳନ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ତେବେ ସାମାନ୍ୟ ଉତ୍ତର-ପୂର୍ବ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ନିଜର ଗତି ଦିଗ ବଜାୟ ରଖିବା ସହ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର-ପୂର୍ବ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଖାପାଖି ଅଞ୍ଚଳରେ ପହଞ୍ଚିବାର ସମ୍ଭାବନା ରହିଛି । ୨୬ରେ ଭୀଷଣ ବାତ୍ୟା ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ସାମ୍ଭାବ୍ୟ ବାତ୍ୟାର ନାମ ‘ରିମାଲ’ ରଖାଯାଇଛି। ବାତ୍ୟା ହେଲେ ତାହାର ପ୍ରଭାବ ଓଡ଼ିଶାରେ ସିଧାସଳଖ ପଡିବ ନାହିଁ। ସାମ୍ଭାବ୍ୟ ବାତ୍ୟା ରିମାଲ ବାଂଲାଦେଶ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଂଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡା ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ତାରିଖ ସକାଳରୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ଆରମ୍ଭ ହୋଇଛି। ୨୪ ତାରିଖ ସକାଳେ ଅବପାତ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ କିମି ରହିଥିବ। ୨୫ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିବ । ସ୍ଥଳ ବିଶେଷରେ ପବନର ବେଗ ୮୦ କିମିରେ ପହଞ୍ଚିପାରେ । ପରବର୍ତ୍ତୀ ସମୟରେ ପବନର ବେଗ ବଢ଼ିବା ସହ ଉତ୍ତର ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ଓ ମଝିରେ ମଝିରେ ୧୨୦ କିମି ବେଗରେ ପବନ ହୋଇପାରେ । ୨୬ ଓ ୨୭ ତାରିଖରେ ବର୍ଷା ପ୍ରଭାବ ରହିବ। ମତ୍ସ୍ୟଜୀବୀଙ୍କୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ବଙ୍ଗୋପସାଗର, ୨୭ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।