ଓଡ଼ିଶାରେ ୨ଟି ମେଡିକାଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଆଦାନି ଗ୍ରୁପ

ଭୁବନେଶ୍ୱର: ଓଡ଼ିଶାରେ ଦୁଇଟି ମେଡିକାଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଆଦାନି ଗ୍ରୁପ(ଆଦାନି ପୋର୍ଟସ୍ ଆଣ୍ଡ ଲଜିଷ୍ଟିକ) ପ୍ରସ୍ତାବ ଦେଇଛି। ଆଦାନି ଗ୍ରୁପ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତଙ୍କୁ ଏହି ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ୧୯୯୬ ମସିହାରୁ ଆଦାନି ଫାଉଣ୍ଡେସନ ପ୍ରତିଷ୍ଠା ହେବା ଦିନଠାରୁ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସହ ସାମାଜିକ ପ୍ରଗତି ପାଇଁ କାର୍ଯ୍ୟ କରିଆସୁଛି। ଏହି କ୍ରମରେ ଆଦାନି ଗ୍ରୁପ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରେ ଭଦ୍ରକ ଓ ରାୟଗଡାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଗ୍ରହୀ ଅଛି। ଏହି ମେଡିକାଲ କଲେଜ ପିପିପି ମୋଡରେ କରାଯିବା ସହ ଭଦ୍ରକରେ ପ୍ରାଥମିକତା ଭିତ୍ତିରେ ମେଡିକାଲ କଲେଜ କରିବାକୁ ଆଦାନି ଗ୍ରୁପ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ତେବେ ଏହି ଦୁଇଟି ମେଡିକାଲ କଲେଜରେ କେତେ ସିଟର ବ୍ୟବସ୍ଥା ରହିବ ସେ ନେଇ ଚିଠିରେ ଉଲ୍ଲେଖ କରାଯାଇନାହିଁ | ଉଲ୍ଲେଖ ଥାଉ କି ଚଳିତଥର ମେକ ଇନ ଓଡ଼ିଶାରେ ଆଦାନି ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଆଦାନି ମଧ୍ୟ ବଡ଼ ଘୋଷଣା କରିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନି ଗ୍ରୁପ । ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ପୁଞ୍ଜି ନିବେଶ ହେବ । ଓଡ଼ିଶାରେ ୪ ମିଲିୟନ ଟନ କ୍ଷମତାର ଆଲୁମିନା ରିଫାଇନାରୀ ଓ ୩୦ ମିଲିୟନ ଟନର ଲୁହାପଥର ପ୍ରକଳ୍ପ ସ୍ଥାପନ କରିବ । ଏହା ଦ୍ୱାରା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଶାରେ ଆଦାନିର ଧାମରା ପୋର୍ଟରେ ୩୫ଟି ବର୍ଥ ରହିବ। ୩୧୫ ମିଲିୟନ ଟନ କ୍ଷମତା ବିଶିଷ୍ଟ ବନ୍ଦରକୁ ପରିବେଶ ମଞ୍ଜୁରି ମିଳିବାରେ ଦେଶର ଏହା ପ୍ରଥମ ବନ୍ଦର।

Related Articles

Back to top button