ଗଞ୍ଜାମ ଜିଲାର ୫ଟି ବ୍ଲକରେ ଉପକୂଳ ବାସିନ୍ଦାଙ୍କ ପାଇଁ ନିର୍ମାଣ ହେବ ଆଦର୍ଶ କଲୋନି

ବ୍ରହ୍ମପୁର: ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ୫ଟି ବ୍ଲକର ବାସିନ୍ଦା ବର୍ତ୍ତମାନ ସମୁଦ୍ରର କରାଳ ରୂପକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି । ବିଶେଷକରି ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଓ ଗଞ୍ଜାମ ବ୍ଲକର ପୋଡମପେଟା ଗ୍ରାମ । ପୂର୍ବରୁ ଗାଁଠାରୁ ସମୁଦ୍ର ୨ କି.ମି ଦୂରରେ ରହିଥିଲା । ଏବେ ଗାଁର ବସତିକୁ ସ୍ପର୍ଶ କରିସାରିଲାଣି ସମୁଦ୍ର। ଏଭଳି ଅବସ୍ଥା ଜାରି ରହିବାରୁ ଗଞ୍ଜାମ ମାନଚିତ୍ରରୁ ବହୁ ଗାଁ ଲିଭିଯିବାର ଆଶଙ୍କା ଉପୁଜିଲାଣି।

ରବିବାର ଦିନ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ପୋଡମପେଟା ଗାଁର ୬ ଟି ଘର ସମୁଦ୍ରରେ ଲୀନ ହୋଇଯାଇଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଅଣ୍ଟା ଭିଡିଛି। ଏଣିକି ଉପକୂଳର ଅସୁରକ୍ଷିତ ଅଞ୍ଚଳଗୁଡିକର ସର୍ବେକ୍ଷଣ କରାଯିବ। ଚେନ୍ନାଇର ଏକ ସଂସ୍ଥା ଏଥିରେ ବୈଷୟିକ ସହାୟତା ଯୋଗାଇବ। ଏହାସହ ଅସୁରକ୍ଷିତ ସମୁଦ୍ରତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଥଇଥାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଦର୍ଶ କଲୋନି ଯୋଜନା କାର୍ଯ୍ୟକାରୀ କରାଯିବାକୁ ଯୋଜନା ହୋଇଛି।
ଉପକୂଳ ସୁରକ୍ଷା ପାଇଁ ଏକ ଦୀର୍ଘମିଆଦୀ, ପ୍ରଭାବୀ ଓ ପରିବେଶ ଅନୁକୂଳ ଯୋଜନା ପ୍ରସ୍ତୁତ କରିବାକୁ ଚେନ୍ନାଇସ୍ଥିତ ନ୍ୟାସନାଲ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଓସେନ ଟେକ୍ନୋଲୋଜି (ଏନଆଇଓଟି) ସହ ରାଜ୍ୟ ଜଳସମ୍ପଦ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ଅଧିନ ଉକ୍ତ ଉଚ୍ଚ ବୈଷୟିକ ସଂସ୍ଥା ରାଜିନାମା ସ୍ୱାକ୍ଷର ଲାଗି ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମମୋଦନ କରିସାରିଛନ୍ତି। ଖୁବଶୀଘ୍ର ଉଭୟ ପକ୍ଷ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହେବ ଏବଂ ଏହାପରେ ଏନଆଇଓଟି ପକ୍ଷରୁ ବୈଷୟିକ ସହାୟତା ମିଳିବ ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି।
ଜିଲାର ଉପକୂଳବର୍ତ୍ତୀ ୫ଟି ବ୍ଲକରେ ୨୦୧୪ରୁ ବିଶ୍ୱବ୍ୟାଙ୍କ ସହାୟତାରେ ଓଡିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପ(ଓଡିଆରପି) ଗୃହ ନିର୍ମାଣ କରାଯାଇଥିଲା। ଜିଲାର ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ, ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକରେ ୧୬, ୨୯୦ଟି ଗୃହ ନିର୍ମାଣ ହୋଇଥିଲା। ସେଥିମଧ୍ୟରେ ଛତ୍ରପୁର ବ୍ଲକରେ ୨୨୯୩, ଖଲ୍ଲିକୋଟରେ ୩୦୭୫, ଗଞ୍ଜାମରେ ୩୬୦୨, ଚିକିଟିରେ ୩୧୦୭ ଓ ରଙ୍ଗେଇଲୁଣ୍ଡାରେ ୪୨୧୩ଟି ଓଡିଆରପି ଗୃହ ନିର୍ମାଣ ହୋଇଥିଲା।

ସମୁଦ୍ର କୂଳ ଲଙ୍ଘିବା ଏବଂ ଜନବସତି ପ୍ରତି ବିପଦ ଥିବାରୁ ସେସବୁ ସ୍ଥାନର ଲୋକଙ୍କ ପାଇଁ ନୂତନ ଭାବେ ଆଦର୍ଶ କଲୋନି ନିର୍ମାଣ କରାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଆଉ ଏକ ଯୋଜନା କରାଯିବ ବୋଲି ଗଞ୍ଜାମ ଜିଲାପାଳ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଓଡିଆରପି ଗୃହ ନିର୍ମାଣ କରାଯାଇ ପୋଡମପେଟାରୁ ଲୋକଙ୍କୁ ହଟାଯାଇ ନୂଆପୋଡମପେଟାରେ ଗୃହ ଯୋଗାଇ ଦିଆଯାଇଛି। ପୁଣି ଏବେ ନୂଆ ସ୍ଥାନ ଦେଖି କିପରି ଅଧିକ ଲୋକଙ୍କୁ ଓଡିଆରପି ଗୃହ ଯୋଗାଇ ଦିଆଯିବ ତାହାର ବ୍ୟବସ୍ଥା କରାଯାଉଛି। ଯେଉଁ ସବୁ ସ୍ଥାନରେ କୂଳ ଖାଉଛି ତାର ଏକ ସର୍ବେକ୍ଷଣ କରାଯାଇ ସେମାନଙ୍କୁ ଆଦର୍ଶ କଲୋନିରେ ଥଇଥାନ କରାଯିବ। କୂଳ ଖାଉଥିବା ସ୍ଥାନଗୁଡିକ ସମ୍ପର୍କରେ ବୈଷୟିକ ଦଳ ତଦନ୍ତ କରିବ। ଯେଉଁମାନଙ୍କ ଘର ଭାଙ୍ଗୁଛି ସେମାନଙ୍କୁ କିପରି ତୁରନ୍ତ ଘର ଯୋଗାଇ ଦିଆଯିବ ତାହାର ବ୍ୟବସ୍ଥା କରାଯାଉଛି ବୋଲି ଜିଲାପାଳ ପରିଡ଼ା କହିଛନ୍ତି। କ୍ଷତିଗ୍ରସ୍ତ ପୋଡମପେଟା ଗାଁକୁ ଯାଇ ଗଞ୍ଜାମ ତହସିଲଦାର ଅରୁଣକୁମାର ନାୟକ ପରିଦର୍ଶନ କରିଛନ୍ତି । ଅସୁରକ୍ଷିତ ଥିବା ପରିବାରଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

Related Articles

Back to top button