ଦେବଗଡ ମହିଳା ସ୍ଵାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଦେବଗଡ:  ଦେବଗଡ ଜିଲ୍ଲାରୁ ରାଗିଂ ମାମଲା ସାମ୍ନାକୁ ଆସିଛି। ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ  ହୋଇଛି । ପ୍ରଶିକ୍ଷଣ କେନ୍ଦ୍ରର ପ୍ରଥମ ବର୍ଷ ଛାତ୍ରୀ  ସିନିୟର ଛାତ୍ରୀଙ୍କ ବିରୋଧରେ ରାଗିଂ କରୁଥିବା ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତକୁ ନେଇ ସିଡିଏମଓ ତତ୍ପର ହୋଇ ଉଠିଛନ୍ତି।

ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖୁଣ୍ଟଳାବାହାଳ ଗ୍ରାମର କଳ୍ପନା କିଶାନ ତିନି ମାସ ତଳେ ଦେବଗଡ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଭାବେ ନାମ ଲେଖାଇଥିଲେ । ନାମ ଲେଖାଦିନ ଠାରୁ ଚାରିରୁ ପାଞ୍ଚ ଜଣ ସିନିଅର ଛାତ୍ରୀ ତାଙ୍କୁ ଆକ୍ଷେପମୂଳକ କଥାବାର୍ତ୍ତା କରିବା ସହ ରାଗିଂ କରୁଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ତିନି ଥର ପରିବାର ଲୋକଙ୍କୁ ଜଣାଇଥିବା ବେଳେ ମଙ୍ଗଳବାର ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସିଡିଏମଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଛାତ୍ରୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଦେବଗଡ ସିଡିଏମଓ ଡାକ୍ତର ସାଧନା ଦାଶ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ସିଡିଏମଓ ଓ ଏଡିଏମଓ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ଅନ୍ୟ ଛାତ୍ରୀ ମାନଙ୍କୁ ପଚରାଉଚୁରା କରୁଛନ୍ତି । ରାଗିଂ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ବିବାହିତା ଓ ତାଙ୍କର ଗୋଟିଏ ଛୋଟ ଛୁଆ ରହିଥିବା ବେଳେ ସେ ଛୁଆକୁ ବାପା ଘରେ ଛାଡି ହଷ୍ଟେଲରେ ରହି ପାଠ ପଢୁଥିବା ଜଣାପଡିଛି ।

Related Articles

Back to top button