ଅର୍ଚ୍ଚନାଙ୍କ ଫୋର୍ଡ ଏଣ୍ଡେଭର କାର ମିଳିଲା, ସୋରୁମ ମାଲିକଙ୍କୁ ଜେରା କରିପାରେ ଇଡି

ଭୁବନେଶ୍ବର: ମିଳିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର (OD 02BP 2324। ଭୁବନେଶ୍ବର ଉପକଣ୍ଠ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଏହି କାରଟି ଜବତ ହୋଇଛି। ପରିତ୍ୟକ୍ତ ଅବସ୍ଥାରେ ଏହି ଧଳା ରଙ୍ଗର କାରଟି ରାସ୍ତା କଡରେ ଛିଡା ହୋଇଥିଲା। କିନ୍ତୁ କାରର ନମ୍ବର ପ୍ଲେଟ କାଢି ନିଆଯାଇଥିଲା। ସ୍ଥାନୀୟ ଲୋକଙ୍କଠୁ ସୂଚନା ମିଳିବା ପରେ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିଲା।

ଏହାପରେ ଇଡିର ତିନି ଜଣିଆ ଅଧିକାରୀ ଆସି ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ କାରଟି ଲକ୍ ହୋଇଥିବାରୁ ଖୋଲି ହୋଇନଥିଲା। ତେଣୁ ଇଡି ପାଖରେ ଥିବା କାରର ରେଜିଷ୍ଟ୍ରେସନ ନମ୍ବରକୁ ଚେକ୍ କରିବା ପରେ ଜଣାପଡିଛି ଏହି ଫୋର୍ଡ କାର ଅର୍ଚ୍ଚନା ନାଗଙ୍କର।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା ନିଜ ହାତକୁ ନେବା ପରେ ପ୍ରାଥମିକ ଭାବେ ତିନୋଟି ଦିଗକୁ ଗୁରୁତ୍ୱ ଦେଇଥିଲେ  ଇଡି ଅଧିକାରୀ। ପ୍ରଥମେ ଶ୍ରଦ୍ଧାଞ୍ଜଳି, ଦ୍ବିତୀୟରେ ଖଗେଶ୍ବର ଏବଂ ତୃତୀୟରେ ନିଖୋଜ ଥିବା ଅର୍ଚ୍ଚନାଙ୍କ ଧଳା ରଙ୍ଗର ଫୋର୍ଡ ଏଣ୍ଡେଭର କାର। ୧୫ ଦିନ ମଧ୍ୟରେ ଇଡି ଏବେ ଶ୍ରଦ୍ଧାଞ୍ଜଳିକୁ ଛାଡି ଦେଲେ ଖଗେଶ୍ବରକୁ ଗିରଫ କରିବାରେ ସଫଳ ହୋଇଛି। ସେହିପରି ବିଳମ୍ବିତ ରାତିରେ ଫୋର୍ଡ କାରଟିକୁ ଜବତ କରିଛି। ଏବେ ଇଡି ଟାର୍ଗେଟରେ ନିଖୋଜ ଥିବା ଶ୍ରଦ୍ଧାଞ୍ଜଳି, ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଜେରା କରିବା ଏବଂ ସେହି ବ୍ୟକ୍ତି ଯିଏ ଅର୍ଚ୍ଚନାଙ୍କ ପାଇଁ ଟଙ୍କା ଖର୍ଚ୍ଚ କରୁଥିଲେ ବା ଉପହାର ଦେଉଥିଲେ।

ଫୋର୍ଡ ଏଣ୍ଡେଭର କାର ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବରରେ ଥିବା କ୍ୟାପିଟାଲ ଫୋର୍ଡ ସୋରୁମରୁ କିଣିଥିଲେ ଅର୍ଚ୍ଚନା। ଏବେ ଇଡି ଟାର୍ଗେଟରେ ସେହି ବ୍ୟକ୍ତି ଯିଏ ଏହି କାର କିଣିବାକୁ ଅର୍ଚ୍ଚନାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିଲେ ବୋଲି କୁହାଯାଉଛି। ଇଡି ତଦନ୍ତ କରି ଅର୍ଚ୍ଚନାଙ୍କର ଏକ ମହିନ୍ଦ୍ରା ଥର କାରକୁ ଜବତ କରିସାରିଛି। ପୂର୍ବରୁ ଦୁଇଟି ଦାମୀ କାର ମଧ୍ୟ ଅର୍ଚ୍ଚନା ବିକ୍ରି କରିସାରିଥିବା ଜଣାପଡିଛି। ହେଲେ କାହାକୁ ସେହି ଦୁଇ କାର ବିକ୍ରି କରିଛନ୍ତି ସେ ନେଇ ତଦନ୍ତ କରୁଛି ଇଡି। ନିଖୋଜ ଥିବା ଫୋର୍ଡ କାର ମିଳିଲେ ଅନେକ ଗୁମର ଫିଟିବ ବୋଲି ଇଡି ଅଧିକାରୀ କହିଥିଲେ। ତେଣୁ ଇଡିର ସନ୍ଦେହୀ ଆଖି ଉପହାର ଦେଇଥିବା ବ୍ୟକ୍ତିଙ୍କ ଉପରେ ରହିଛି।

ଶୁକ୍ରବାର ଇଡି ସୋରୁମ ମାଲିକଙ୍କ ପୁଅକୁ ଜେରା କରିଥିଲା। ଏହି ସମୟରେ କାର କିଣିବାର ବିଭିନ୍ନ କାଗଜପତ୍ର ଇଡି ଅଧିକାରୀଙ୍କୁ ସୋରୁମ ମାଲିକ ଦେଇଥିବା ସୂଚନା ରହିଛି। ହେଲେ ସୋରୁମ ମାଲିକ କାହିଁକି ନଗଦ ଟଙ୍କାରେ କେଉଁ ଉଦ୍ଦେଶ୍ୟରେ କାରଟିକୁ ବିକ୍ରି କରିଥିଲେ ତାହା ଏବେ ପ୍ରଶ୍ନ ଘେରରେ। ଇଡି ଏବେ କାରଟିକୁ ଜବତ କରିଥିବାରୁ ଆଗାମୀ ସମୟରେ ପୁଣିଥରେ ସୋରୁମ ମାଲିକଙ୍କୁ ଜେରା କରିପାରେ।

Related Articles

Back to top button