ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରାରେ ଦେଖିବାକୁ ମିଳିଛି ପ୍ରବଳ ଭକ୍ତଙ୍କ ସମାଗମ

ଭକ୍ତିରେ ଭିଜୁଛି ବାବା ଚନ୍ଦନେଶ୍ୱରଙ୍କ ପୀଠ । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବାବା ଚନ୍ଦନେଶ୍ୱରଙ୍କ ଚଡକ ଯାତ୍ରା ଏବେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ବରଂ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି ।

କିମ୍ବଦନ୍ତୀ ଅନୁସାରେ, ହୁଗୁଳା ଅରଣ୍ୟ ପଶ୍ଚିମସ୍ଥ ଏକ ଜନପଦ (ବର୍ତ୍ତମାନର ନାମ ତେଘରି)ଙ୍କ ଜୈନିକ ବଧୂ ଲକ୍ଷ୍ମୀ (ଲଛମା) ତତ୍ୱବଧାନରେ ଥିବା ଗାଈଟିଏ ହୁଗୁଳା ଅରଣ୍ୟରୁ ପ୍ରତିଦିନ କ୍ଷୀରଶୂନ୍ୟ ହୋଇ ଆସେ । ଏଥିପାଇଁ ଲଷ୍ମୀଙ୍କୁ ଗଞ୍ଜଣା ଶୁଣିବାକୁ ପଡୁଥିଲା । କାହିଁକି ଗାଈଟି ଏମିତି କ୍ଷୀର ଶୂନ୍ୟ ହୋଇ ଘରକୁ ଫେରୁଛି ଏକଥା ଜାଣିବା ପାଇଁ ଲକ୍ଷ୍ମୀ ମନସ୍ଥ କରିଥିଲା । ଦିନେ ଛପି ଛପି ଗାଈ ଅଟକିଥିବା ସ୍ଥାନରେ ସେ ପହଞ୍ଚିଥିଲା । ସେଠାରେ ଲକ୍ଷ୍ମୀ ଯାହା ଦେଖିଲା ତାହା ସେ ବିଶ୍ୱାସ ମଧ୍ୟ କରି ପାରି ନଥିଲା । ଗାଈର ଚିରରୁ ସ୍ଵତଃ ଝରିପଡୁଛି କ୍ଷୀର । କାଳକ୍ରମେ ବାବାଙ୍କ ନାମ ଚାରିଆଡେ ପ୍ରଚାରିତ ହୁଏ। କିମ୍ବଦନ୍ତୀର ସତ୍ୟତା ଗଭୀର ହେଉ କି ନ ହେଉ ଆଜି ଯାଏ ସେହି ଲକ୍ଷ୍ମୀ ବଂଶର ଜଣେ ମୁଖ୍ୟ ଭକ୍ତ (ପାଟଭକ୍ତ) ଭାବରେ ଏବଂ ଅଗଣି ପଣ୍ଡାଙ୍କ ବଂଶଧର ମାନେ ସେବାପୂଜାର ଦାଇତ୍ୱ ତୁଲାଇ ଆସୁଛନ୍ତି ।ତେବେ ଶହ ଶହ ବର୍ଷରୁ ଏଠାରେ ବିରାଜମାନ କରିଛନ୍ତି ଭକ୍ତବାଞ୍ଚା କଳ୍ପତରୁ ଆଶୁତୋଷ ବାବା-ଚନ୍ଦନେଶ୍ୱର । ଭୋଗରାଇ ଥାନା ଅଧିନ ହୁଗୁଳି ଗ୍ରାମରେ ବାବା ଚନ୍ଦନେଶ୍ୱରଙ୍କ ପୀଠ। ସାଗର ଉପକଣ୍ଠସ୍ଥ ଏହି ଅଞ୍ଚଳ ଏକଦା ଥିଲା ହୁଗୁଳା ଅରଣ୍ୟପୂର୍ଣ୍ଣ । ଆଉ ଅରଣ୍ୟ ମଧ୍ୟରେ ବୋହି ଯାଇଥିଲା କ୍ଷୁଦ୍ର ଏକ ଝରଣା ଚନ୍ଦନ ଧାରା । ଏହି ଉଭୟ ନାମକୁ ଅଙ୍ଗୀକାର କରି ହୁଗୁଳି ଗ୍ରାମରେ ଲୀଳା ପ୍ରକାଶ କରିଛନ୍ତି ବାବା ଚନ୍ଦନେଶ୍ୱର ।

ଋତୁରାଜ ବସନ୍ତ ଶେଷ ହେବାକୁ ବସିଥିବା ବେଳେ ଚୈତ୍ରର ଆସି ପହଞ୍ଚି ଯାଇଥାଏ । ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡକ ଉତ୍ସବ ପାଇଁ ଆରମ୍ଭ ହୋଇଯାଇଥାଏ ପ୍ରସ୍ତୁତି । ଏହି ପର୍ବ ବା ଉତ୍ସବରେ ହୁଏ ପ୍ରବଳ ଭକ୍ତଙ୍କ ସମାଗମ । ଚଡକ ଯାତ୍ରାର ପାଞ୍ଚ ଦିନ ପୂର୍ବରୁ ପଶ୍ଚିମବଙ୍ଗ, ବିହାର, ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪/୫ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଉପସ୍ଥିତ ହୋଇ ପଇତା ଧାରଣ କରି ବ୍ରତଚାରି ହୁଅନ୍ତି ।

ତେବେ ଚଳିତ ବର୍ଷ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଚଡକ ମେଳା ପାଇଁ ପ୍ରାୟ ୭ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଗତ ୧ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିଛି ଏହି ଚଡ଼କ ଯାତ୍ରା । ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ହେବାରେ ଲାଗିଛି । ୨୧ ପ୍ଲାଟୁନ ପୋଲିସ ଫୋର୍ସ, ସିସିଟିଭି ବ୍ୟବସ୍ତା କରାଯାଇଛି । ଚଡକ ପର୍ବ ଆରମ୍ଭ ରୁ ଏପର୍ଯ୍ୟନ୍ତ ୫ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଚିକିତ୍ସା କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Related Articles

Back to top button