ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ରାଜ୍ୟ ବଜେଟ୍ ଅଧିବେଶନ
ଭୁବନେଶ୍ୱର : ଆସନ୍ତା ଫେବୃଆରୀ ତୃତୀୟ ସପ୍ତାହରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିଲାଗି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ପ୍ରାକ୍-ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ ହୁଏ। ଏହିକ୍ରମରେ ଶୁକ୍ରବାର ରାଜ୍ୟ ଅତିଥି ଭବନରେ ଦୁଇଟି ପର୍ଯ୍ୟାୟରେ ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ ହେବ। ହେଲେ ଏହାକୁ ନେଇ ବିରୋଧୀଦଳ ମୁଖ୍ୟ ସଚେତକ ତଥା ପବ୍ଲିକ ଆକାଉଣ୍ଟ କମିଟି ଅଧ୍ୟକ୍ଷ ମୋହନ ମାଝି କିମ୍ବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ବଜେଟ୍ ପୂର୍ବରୁ ଯେଉଁ ମତାମତ ସଂଗ୍ରହ କରୁଛନ୍ତି ତାହା କେବଳ କିଛି ସୀମିତ ଲୋକଙ୍କୁ ନେଇ କର୍ପୋରେଟ ଢାଞ୍ଚାରେ ହେଉଛି।
ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କୁ ନେଇ ଏହି ପରାମର୍ଶ ବୈଠକ ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ଣ ୩ଟାରୁ ୫ଟା ମଧ୍ୟରେ ବୈଠକ ଅନୁଷ୍ଠିତ ହେବ ବୋଲି ଅର୍ଥବିଭାଗ ପକ୍ଷରୁ କୁହାଯାଇଛି। ସରକାରଙ୍କ ପକ୍ଷରୁ କରାଯାଉଥିବା ଏହି ବଜେଟ୍ ପରାମର୍ଶ ବୈଠକକୁ ନେଇ ଶ୍ରୀ ମାଝି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସବୁ ଏମିତି। ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏସବୁ କରାଯାଉଛି। ବାସ୍ତବରେ କିନ୍ତୁ ସଚିବଙ୍କ ପ୍ରସ୍ତାବ ଅନୁଯାୟୀ ବଜେଟ ହେବ। ପ୍ରତିବର୍ଷ ବଜେଟ୍ ନାଁରେ ଏସବୁ ଭେଳିକି କରାଯାଉଛି। ଯଦି ସବୁ ବର୍ଗର ଲୋକଙ୍କୁ ବୈଠକକୁ ଡକା ଯାଆନ୍ତା ତେବେ ବଜେଟ୍ ଲୋକାଭିମୁଖୀ ହୋଇପାରନ୍ତା।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଏହି ପ୍ରସଙ୍ଗ ମୁଁ ବାରମ୍ବାର ଗୃହରେ ଉଠାଇଛି। ସରକାର ଯେଉଁ ବଜେଟ ପ୍ରସ୍ତୁତ କରନ୍ତି ତାହା କେବଳ ଫର୍ମାଲିଟି। ବୈଠକକୁ ମୋତେ ଡକାଯାଇ ନାହିଁ। ନିକଟରେ ହକି ବିଶ୍ବକପ୍ ପାଇଁ ଯେଭଳି ସର୍ବଦଳୀୟ ବୈଠକ ଡକାଗଲା ଠିକ୍ ସେହିପରି ସବୁ କାର୍ଯ୍ୟକ୍ରମରେ ବୈଠକ ଡକାଗଲେ ସମସ୍ତ ସହଭାଗିତାରେ ଭଲ ବଜେଟ ହୋଇପାରନ୍ତା। ବଜେଟରେ ସବୁବେଳେ ପଶ୍ଚିମ ଓଡ଼ିଶାକୁ ଅବହେଳା କରାଯାଉଛି। ରାଜ୍ୟର ଏକ ଚତୁର୍ଥାଂଶ ଲୋକ ପଶ୍ଚିମ ଓଡ଼ିଶାର ରହିଥିଲେ ହେଁ ସମୁଦ୍ରକୁ ଶଙ୍ଖେ ସଦୃଶ ୨୦୦କୋଟିର ବ୍ୟବସ୍ଥା କରାଯାଉଛି। ୨ଲକ୍ଷରୁ ଊର୍ଦ୍ଧ୍ବ କୋଟିର ବଜେଟ୍ ସରକାର ପ୍ରସ୍ତୁତ କରୁଛନ୍ତି, ମାତ୍ର ପଶ୍ଚିମ ଓଡ଼ିଶା ପାଇଁ ସେଭଳି କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉନାହିଁ।
ଅନ୍ୟପକ୍ଷରେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ବଜେଟ୍ ଆଲୋଚନା ପାଇଁ ମୋତେ ନିମନ୍ତ୍ରଣ ରହିଛି। ସରକାରଙ୍କ ପକ୍ଷରୁ ହ୍ବାଟସଆପ୍, ଇ-ମେଲ୍, ଏସଏମଏସ୍ ଜରିଆରେ ସବୁ ବର୍ଗଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି। କୃଷକ ଓ ଅନ୍ୟାନ୍ୟ ବର୍ଗଙ୍କୁ ଯଦି ସ୍ବତନ୍ତ୍ର ଭାବେ ସାମିଲ କରାଯାଆନ୍ତା ତେବେ ବଜେଟ ଭଲ ହୁଅନ୍ତା ବୋଲି ଶ୍ରୀ ବେହେରା କହିଛନ୍ତି।