
ଆଜିଠାରୁ ସପ୍ତାହେ ବ୍ୟାପି ଚାଲିବ ମା’ ତାରିଣୀଙ୍କ ଚଇତିପର୍ବ
ଘଟଗାଁ: କେନ୍ଦୁଝର ଜିଲାର ଘଟଗାଁରେ ଅବସ୍ଥିତ ମା’ ତାରିଣୀଙ୍କ ୮୭ତମ ଚଇତିପର୍ବ ଆଜିଠାରୁ ଆରମ୍ଭ । ପର୍ବ ସପ୍ତାହେ ବ୍ୟାପି ଚାଲିବ। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମାଗଣା ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଏହି ଉପଲକ୍ଷେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨୦ ନମ୍ବର ଜାତୀୟ ରାଜପଥର ପୂର୍ବପାର୍ଶ୍ୱ, ପଶ୍ଚିମପାର୍ଶ୍ୱ, ଉପରଡ଼ିହା ରାସ୍ତା, ହରିଚନ୍ଦନପୁର ରାସ୍ତା, ବାଇପାସ ଓ କଲେଜଛକ ନିକଟରେ ସ୍ବାଗତ ତୋରଣ ସହ ଆଲୋକ ଗେଟ୍ କରାଯାଇଛି। ମନ୍ଦିର ପରିସରକୁ ତାରପଲିନ ଛାଉଣି ସହ ଶୃଙ୍ଖଳା ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେହ ଭକ୍ତଙ୍କ ସମାଗମ ନେଇ ପାର୍କିଂ ବ୍ୟବସ୍ଥା କରାଯାଇଛି। ବ୍ରାହ୍ମମୁହୂର୍ତ୍ତରେ ପୂଜକମାନଙ୍କ ଦ୍ୱାରା ମା’ଙ୍କ ଷୋଡ଼ଶ ନୀତି ଅନୁଯାୟୀ ପୂଜା କରାଯିବ। ପରେ ମା’ଙ୍କ ସୁନାବେଶ ଅନୁଷ୍ଠିତ ହେବ। ଘଟଗାଁବ୍ରାହ୍ମଣ ସମାଜ ତରଫରୁ ଦେବୀସ୍ମୃତି ଓ ଗୀତାପାଠ କରାଯିବ। ସେହିପରି ପୀଠରେ ଭାଗବତ ପାଠ, ଚଣ୍ଡୀପାଠ ଓ ପାଲାମଣ୍ଡପରେ ସତ୍ୟନାରାୟଣ ପୂଜା ଚାଲିବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଓ ସ୍ବେଛାସେବୀ ନିୟୋଜିତ କରାଯାଇଛି। କେନ୍ଦୁଝର ଜିଲାପାଳ ଆଶିଷ ଠାକ୍ରେ, ଏସ୍ପି ମିତ୍ରଭାନୁ ମହାପାତ୍ର ପ୍ରତିଟି କାର୍ଯ୍ୟକୁ ଅନୁଧ୍ୟାନ କରୁଛନ୍ତି। କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ତହସିଲଦାର ଜନକ ନାଏକ, ଏସ୍ଡିପିଓ ସୁଶୀଲ ମିଶ୍ର, ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ, ଆରଆଣ୍ଡବିର ସହକାରୀ ଯନ୍ତ୍ରୀ ଚିତରଞ୍ଜନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ୍ୱର ସେଠୀ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ ମାରାଣ୍ଡି ଉପସ୍ଥିତ ରହି ମନ୍ଦିର ବେଢ଼ା ଓ ବାହାରେ ଭକ୍ତଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଘଟଗଁା ଏସ୍ଡିପିଓ ଓ ଥାନା ଅଧିକାରୀ ଅନୁଧ୍ୟାନ କରିଥିଲେ।