ଅନୁଗୋଳ ଜିଲାରେ ଗାଡ଼ି ଯାଞ୍ଚ କଡ଼ାକଡ଼ି: ସପ୍ତାହକରେ ୬୧ ଲକ୍ଷ ଟଙ୍କା ଜରିମାନା

ଅନୁଗୋଳ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍‌ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରିବା ପାଇଁ ଅନୁଗୋଳ ଜିଲାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଏପ୍ରିଲ ୧ରୁ ୭ ତାରିଖ ଯାଏ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଚେକିଂ କରାଯାଇ ମୋଟ୍‌ ୭୪୧ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ୬୧ ଲକ୍ଷ ୪୦ ହଜାର ୬୬ ଟଙ୍କାର ଜରିମାନା କରାଯାଇଥିଲା। ସେଥିମଧ୍ୟରୁ ୮ ଲକ୍ଷ, ୮୨ ହଜାର ୭୫୦ ଟଙ୍କା ଘଟଣାସ୍ଥଳରେ ଆଦାୟ ହୋଇଥିବା ବେଳେ ୫୨ ଲକ୍ଷ ୫୭ ହଜାର ୩୧୬ ଟଙ୍କା ପେଣ୍ଡିଂ ରହିଛି।
ଅନୁଗୋଳ ଆର୍‌ଟିଓ ପକ୍ଷରୁ ଚେକିଂ ବେଳେ ୩୭୨ ଜଣ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଇଛି। ଦ୍ରୁତଗତି ପାଇଁ ୧୧୩ ଜଣ ଚାଳକ ଧରାପଡ଼ିଥିବା ବେଳେ ୧୪୩ ଜଣ ହେଲମେଟ ପିନ୍ଧି ନ ଥିବା, ଗାଡ଼ି ଚାଳନା ବେଳେ ୧୪ ଜଣ ମୋବାଇଲ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା ୯ଜଣ, ମାଲ ଗାଡ଼ିରେ ଯାତ୍ରୀ ନେଉଥିବା ୨ ଜଣ, ଓଭରଲୋଡିଂ ପାଇଁ ୨୪, ସିଟ୍‌ ବେଲ୍‌ଟ ବାନ୍ଧି ନ ଥିବା ୧୪, ବାଇକ୍‌ରେ ୩ ଜଣିଆ ଯାତ୍ରା ପାଇଁ ୧୪ ଜଣ ଓ ଗାଡ଼ିର ନମ୍ବର ପ୍ଲେଟ ଠିକ୍‌ ନ ଥିବାରୁ ୧୬ଜଣ ଚାଳକଙ୍କୁ ଜରିମାନା କରାଯାଇଛି। ସେମାନଙ୍କୁ ମୋଟ୍‌ ୩୯ ଲକ୍ଷ ୪୨ ହଜାର ୮୫୦ ଟଙ୍କାର ଚାଲାଣ କଟାଯାଇ ଦିଆଯାଇଥିବା ବେଳେ ସେଥିରୁ ୬ଲକ୍ଷ ୪୧ ହଜାର ୧୫୦ ଟଙ୍କା ଆଦାୟ ହୋଇଛି। ୩୩ ଲକ୍ଷ ୧୭ଶହ ଟଙ୍କା ଆଦାୟ ପାଇଁ ବାକି ରହିଛି। ସେହିପରି ତାଳଚେର ଆର୍‌ଟିଓ ପକ୍ଷରୁ ୩୬୯ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ୨୧ ଲକ୍ଷ ୯୭ ହଜାର ୨୧୬ ଟଙ୍କାର ଜରିମାନା କରାଯାଇଛି। ସେଥିରୁ ୨ ଲକ୍ଷ ୪୧ ହଜାର ୬ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୧୯ ଲକ୍ଷ ୫୫ ହଜାର ୬୧୬ ଟଙ୍କା ବାକି ରହିଛି। ଦ୍ରୁତଗତି ପାଇଁ ୯୧ ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ହେଲମେଟ ପିନ୍ଧି ନ ଥିବା ୧୨୩ ଜଣ, ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୭ଜଣ, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର କରୁଥିବା ୧୯ ଜଣ, ସିଟ୍‌ ବେଲ୍‌ଟ ବାନ୍ଧି ନ ଥିବା ୧୭ ଜଣ, ବାଇକ୍‌ରେ ତିନିଜଣିଆ ଯିବା ପାଇଁ ୧୯ ଜଣ, ଗାଡ଼ି ଚଳାଉଥିବା ୫ ଜଣ ନାବାଳକ ଓ ଅନ୍ୟ କାରଣରୁ ୮୦ ଜଣ ଚାଳକଙ୍କୁ ଜରିମାନା କରାଯାଇଛି।

ଅନୁଗୋଳ ଜିଲାରେ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଜିଲା ପୋଲିସ ପକ୍ଷରୁ ମୋଟ୍‌ ୨୪ ଲକ୍ଷ ୨୯ ହଜାର ୩ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିରୁ ବାଇକ୍‌ରେ ତିନିଜଣିଆ ବସି ଯିବା ପାଇଁ ୩୬୮ ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ମଦ୍ୟପାନ କରିଥିବା ୩୪୦ ଚାଳକ, ବେଆଇନ ପାର୍କିଂ ପାଇଁ ୪୬୨ ଚାଳକ, ଦ୍ରୁତଗତି ଓ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୯ଜଣ, ଓଭର ଲୋଡିଂ ପାଇଁ ୩୧ ଜଣ, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର ପାଇଁ ୨୩୨ ଚାଳକ, ହେଲମେଟ୍‌ ପିନ୍ଧି ନ ଥିବା ୧୬୫୭ ଜଣ, ସିଟ୍‌ ବେଲ୍‌ଟ ପିନ୍ଧି ନ ଥିବା ୪୬୩ ଜଣ ଚାଳକଙ୍କୁ ଜରିମାନା କରାଯାଇଛି।

Related Articles

Back to top button