ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ‘ଆମ ହସ୍ପିଟାଲ’ର ମାନ୍ୟତା ମିଳିବ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଥିବା ଡାକ୍ତରଖାନାଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ଦକ୍ଷତା ଓ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ତେବେ ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି), ସବ୍ ଭିଡିଜିଜନ ହେଲଥ୍ ସେଣ୍ଟର (ଏସଡିଏଚ) ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ଗୁଡ଼ିକର ରୂପାନ୍ତରଣ କରାଯିବ । ଏହି ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ‘ଆମ ହସ୍ପିଟାଲ’ର ମାନ୍ୟତା ପାଇବ ବୋଲି ଜଣାପଡ଼ିଛି ।

ତେବେ ଏହି ରୂପାନ୍ତରଣ ପ୍ରକ୍ରିୟା ଚଳିତ ମାସରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବରରେ ସରିବ । ଏହାଦ୍ୱାରା ସାଧାରଣ ସେବା ସୁନିଶ୍ଚିତ ହେବା ସହ ଅନେକ ଜରୁରୀ ଚିକିତ୍ସା ମିଳିପାରିବ । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ତଥା ଖାଲି ପଦ ପୂରଣ କରାଯିବା ସହ ତ୍ୱରିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ । ଗାଁ ହେଉ କି ସହର ସବୁଠି ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ନିକଟରେ ୧୦ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା େବେଳ ମେଡିକାଲ ଶିକ୍ଷା ଓ ଚିକିତ୍ସା ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଗତବର୍ଷ ସ୍ୱାସ୍ଥ୍ୟ ବିଭାଗରେ ରେକର୍ଡ ସଂଖ୍ୟକ, ଡାକ୍ତର, ବିଶେଷଜ୍ଞ ତଥା ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଡାକ୍ତରଖାନାଗୁଡ଼ିକୁ ନବକଳେବର କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ବେଳେ ଏହାଦ୍ୱାରା ଜନସାଧାରଣ ଅତି ନିକଟରେ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ । ଏନେଇ ସ୍ୱାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

Related Articles

Back to top button