‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ‘ମୋ ଜଙ୍ଗଲ ଜମି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଜଙ୍ଗଲ ଜମି ଉପରେ ଜନଜାତିଙ୍କର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ସୁନିଶ୍ଚିତ ହେବ ।

ଏହି ଯୋଜନା ଜନଜାତିଙ୍କ ବିକାଶ କ୍ଷେତ୍ରରେ ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ଏହାକୁ ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଯୋଜନା ମାଧ୍ୟମରେ ଜନଜାତିଙ୍କ ସ୍ଥାୟୀ ଜୀବିକା ସୃଷ୍ଟି ନେଇ ପଦକ୍ଷେପ ଗ୍ରହଣ କରାଯିବ । ଯେଉଁ ଜଙ୍ଗଲ ଗାଁଗୁଡ଼ିକ ସର୍ଭେ ହୋଇନଥିବ ସେଗୁଡ଼ିକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ । ଫଳରେ ଜନଜାତିଙ୍କ ସମସ୍ତ ପ୍ରକାରର ବିକାଶମୂଳକ କାର୍ଯ୍ୟ ସାଧିତ ହୋଇପାରିବ ।

ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୪.୫ ଲକ୍ଷ ଜନଜାତି ପରିବାରକୁ ଜଙ୍ଗଲ ଜମି ଉପରେ ମାଲିକାନା ପ୍ରଦାନ କରାଯାଇଛି । ୪ ହଜାରରୁ ଅଧିକ ଗ୍ରାମସଭାକୁ ଗୋଷ୍ଠୀଗତ ଅଧିକାର ଦିଆଯାଇଛି । ପଞ୍ଚାୟତମାନଙ୍କୁ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଅଧିକାର ପ୍ରଦାନ କରିବା ନେଇ ୨୦୦୦ ମସିହାରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଫଳରେ ଆଜି ଜନଜାତି ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବା ସହିତ ପ୍ରତିଷ୍ଠା ଲାଭ କରିପାରିଛନ୍ତି

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଏହି ଯୋଜନା ପହଞ୍ଚିବା ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜଙ୍ଗଲ ଜମିର ପରିଚାଳକ ଭାବେ ଜନଜାତିଙ୍କ ଅଧିକାରକୁ ସ୍ୱୀକୃତି ଦେବା ଯୋଜନାର ଲକ୍ଷ୍ୟ ବୋଲି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ଅଧିକାର ପ୍ରଦାନ କରାଯିବ । ଏନେଇ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ସାରକା କହିଥିଲେ । ସେହିପରି ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ ରାଜ୍ୟ ସରକାରଙ୍କ ଏକ ବଡ଼ ସଫଳତା ବୋଲି ଉନ୍ନୟନ କମିଶନର ଅନୁ ଗର୍ଗ କହିଥିଲେ ।

Related Articles

Back to top button