ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି। ସବୁ ପ୍ରକାର ବିପର୍ଯ୍ୟୟରେ ‘ସବୁ ଜୀବନ ମୂଲ୍ୟବାନ’ ବୋଲି ସେ କହିଛନ୍ତି। ଯେପରି କୌଣସି ପରିସ୍ଥିତିରେ ଗୋଟିଏ ବି ଜୀବନ ହାନି ନ ହୁଏ ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ନ ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଓ ସତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲାରେ ବନ୍ୟା ସମ୍ଭାବନା ଦେଖାଦେଇଛି । ଉକ୍ତ ୧୦ ଜିଲାର ଜିଲାପାଳଙ୍କୁ ସେ ସତର୍କ କରାଇଛନ୍ତି। ଏହା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିପଦ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦିଆଯିବା ସହ ରାଜ୍ୟସ୍ତରରେ ସମ୍ପୃକ୍ତ ବିଭାଗମାନେ ଜିଲାଗୁଡ଼ିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏନ୍‌ଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ବିଭିନ୍ନ ବିପଦପୂର୍ଣ୍ଣ ଅଞ୍ଚଳରେ ସଜାଗ ରଖି ଆବଶ୍ୟକ ସ୍ଥଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ହସ୍ପିଟାଲ, ଜଳଯୋଗାଣ ଓ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ପରି ଜୀବନ ରକ୍ଷାକାରୀ ସଂସ୍ଥାଗୁଡିକ ନିରବଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା କରିବା, ସାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସତନ୍ତ୍ର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପ୍ରାଣୀଧନର ସୁରକ୍ଷା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ରାସ୍ତାଘାଟର କ୍ଷତିପାଇଁ ଇଂଜିନିୟରିଂ ବିଭାଗ, ବିଦ୍ୟୁତ୍‌ ଲାଗି ଶକ୍ତି ବିଭାଗକୁ ସଜାଗ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିପାଳମାନେ ଉପସ୍ଥିତ ଥିଲେ ।

Related Articles

Back to top button