
କଳାହାଣ୍ଡି କଫି ପୁଣି ମହକିବ
ଭବାନୀପାଟଣା: ପୂର୍ବ ଗୌରବ ଫେରି ପାଇବ କଳାହାଣ୍ଡି। ଜିଲାରେ ମହକିବ କଫି ଚାଷ। ୧୯୮୦ରେ ଜିଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିିଥିଲା। କିନ୍ତୁ ତତ୍କାଳୀନ ସରକାରୀ କଳର ଅବହେଳା ଯୋଗୁ ଅଞ୍ଚଳରେ ଲୋପ ପାଇବାକୁ ବସିଥିଲା କଫି ଚାଷ। ଯାହାର ଜଳନ୍ତ ଉଦାହରଣ ଥୁଆମୂଳ ରାମପୁର ରାସ୍ତା କଡରେ ଥିବା କଫି ଗଛ । ବର୍ତ୍ତମାନ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୨୦ରୁ ଊର୍ଦ୍ଧ୍ୱ କଫି ଗଛ ଅଞ୍ଚଳର କଫି ଇତାହାସର ମୁକସାକ୍ଷୀ ରହିଛି।
ଦୀର୍ଘ ବର୍ଷ ପରେ ପୁଣି କଫି ଚାଷ ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଏ ନେଇ ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଆବଶ୍ୟକ ପଦକ୍ଷେପ ନେବାକୁ ଜଳ ଛାୟା ମିଶନକୁ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଥୁଆମୂଳ ରାମପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୯୩ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ କଫି ଚାଷ କରାଯିବ ବୋଲି ସୂଚନା ଦିଆଯିବା ପରେ କଫି ଚାଷୀଙ୍କ ମଧ୍ୟରେ ପୁଣି ନୂଆ ଆଶା ସଞ୍ଚାର ହୋଇଛି। ଏହାକୁ ନେଇ କଫି ମିଶନ ପକ୍ଷରୁ ସ୍ବତନ୍ତ୍ର ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ ନିମନ୍ତେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର କୋରାପୁଟ କଫି ଦେଶ ତଥା ବିଦେଶରେ ବେଶ ସୁନାମ ଅର୍ଜନ କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିପଣନ ବ୍ୟବସ୍ଥା ଯୋଗୁ ଏହା ବେଶ ଆଦର ଲାଭ କରିଛି। କୋରାପୁଟ ପରେ କଳାହାଣ୍ଡି ଜିଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।