ପୁରୀ ରଥ ଯାତ୍ରା ପାଇଁ ରଥ ଖଳାରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀନହର ସମ୍ମୁଖ ରଥଖଳା । ତିନି ରଥର ନିର୍ମାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି ରଥ ନିର୍ମାଣକାରୀ ସେବକମାନେ । ତିନି ରଥର ବିଶ୍ବକର୍ମା ମହାରଣାଙ୍କ ଦ୍ବାରା ଚାରିନାହାକା, ଚଉଦନାହାକା ସହିତ ଅନ୍ୟାନ୍ୟ କାର୍ଯ୍ୟ ଦ୍ରୁତ ଆଗେଇ ଚାଲିଛି ।
ସେହିପରି ରୂପକାର ସେବକମାନେ କୋଣଗୁଜ ଓ ସାଲଗୁଜରେ ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ ଓଝା ସେବକମାନେ କମାରଶାଳରେ ଯୋଖା କଣ୍ଟା ନିର୍ମାଣ କରୁଛନ୍ତି । ସେପଟେ ସ୍ନାନ ଯାତ୍ରା ପୂର୍ବରୁ ତିନି ରଥର ଚାରିନାହାକା ନିର୍ମାଣ କାର୍ଯ୍ୟ ଶେଷ ନେଇ ବିଶ୍ଵକର୍ମା ମହାରଣା ମାନେ ଲାଗି ପଡ଼ିଛନ୍ତି । ଗରଗରା, ଚଉଦନାହାକା, ଚାରିନାହାକା ଏବଂ ପାଞ୍ଚଦଣ୍ଡା ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି।
ତିନି ରଥର ରୂପକାର ସେବକମାନେ କୋଣଗୁଜ ଏବଂ ସାଲଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି । ସେହିପରି ଦୋଳବେଦୀର ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ଆବଶ୍ୟକ ଦଣ୍ଡା କଣ୍ଟା ନିର୍ମାଣ କାର୍ଯ୍ୟ ଶେଷ କରି ଏବେ ଜୋଖା କଣ୍ଟା ନିର୍ମାଣ କରୁଛନ୍ତି। ପାହି ମହାରଣାମାନେ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ଆବଶ୍ୟକ କାଠରେ ନିର୍ମିତ ନୀତି କାନ୍ତି ସରଞ୍ଜାମ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ସ୍ନାନଯାତ୍ରା ଏବଂ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ସହରର ବିଭିନ୍ନ ଅଞ୍ଚଳକୁ ନେଇ ସେକ୍ଟରରେ ବିଭକ୍ତ କରାଯାଇଛି।
ଟ୍ରାଫିକ ସୁପରିଚାଳନା ପାଇଁ ୨୮ଟି ସେକ୍ଟର, ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ସୁରକ୍ଷା ପାଇଁ ୧୩ଟି ସେକ୍କର ଏବଂ ପୁରୀ ସହରକୁ ୫୦ରୁ ଅଧିକ ସେକ୍ଟରରେ ବଣ୍ଟା ଯାଇଛି । ସବୁ ସେକ୍ଟରର ସୁରକ୍ଷା ଦାୟିତ୍ବ ବରିଷ୍ଠ ଅଭିଜ୍ଞ ପୋଲିସ ଅଧିକାରୀଙ୍କୁ ଦିଆଯାଇଥିବା ସୂଚନା ଦେଇଛନ୍ତି ଏସପି । ସେହିପରି ଚୋରି, ଛିନତାଇ, ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଏକାଧିକ ସ୍କ୍ୱାର୍ଡ ଏବଂ ବିଭିନ୍ନ ସ୍ବେଛାସେବୀଙ୍କୁ ନେଇ ଏକାଧିକ ଟିମ୍ ଗଠନ କରାଯାଇଛି।

Related Articles

Back to top button