ଜାଲ୍ ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ନକଲି ସାର୍ଟିଫିକେଟ ମାମଲା ବଢ଼ିବାରେ ଲାଗିଛି । କିଛିଦିନ ଧରି ବଲାଙ୍ଗିର ଫେକ୍ ସାର୍ଟିଫିକେଟ କେସକୁ ନେଇ ରାଜ୍ୟ ପଡ଼ୁଛି ଉଠୁଛି । ଏହି ନକଲି ସାର୍ଟିଫିକେଟ ଦାଖଲ କରି ୪ ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ଜଣାପଡ଼ିଥିଲା । ଏହା ମଧ୍ୟରେ ଏହି ରାକେଟର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି । କାହା ଆକାଉଣ୍ଟକୁ ନେଇ ଟଙ୍କା ପଠାଯାଇଛି, ଜାଲ୍ ସାର୍ଟିଫିକେଟ ବାବଦକୁ କେତେ ଟଙ୍କା ଦିଆନିଆ ହୋଇଛି, ସେନେଇ ତଦନ୍ତ ଜାରି ରହିଛି ।

ତେବେ ଏହା ମଧ୍ୟରେ ଜାଲ ସାର୍ଟିଫିକେଟକୁ ନେଇ ରାଜ୍ୟ ସରକାର ଏ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ବଲାଙ୍ଗିର ଗସ୍ତ କରିବ ବୋଲି ସୂଚନା ମିଳିଛି । ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ଖୋଳତାଡ଼ କରାଯିବ ବୋଲି କୁହାଯାଇଛି ।

ଜାଲ ସାର୍ଟିଫିକେଟ ରାକେଟ କିଏ ଚଳାଉଛି ସେନେଇ ରାଜ୍ୟ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୯ ଜଣ ଗିରଫ ହୋଇସାରିଥିବା ବେଳେ ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିପାରେ । ଏପରିକି ଏହି ର୍ୟାକେଟ ପଛରେ କିଛି ରାଜନେତାଙ୍କ ସମ୍ପୃକ୍ତି ଥିବାନେଇ ଗୃହରେ ଶାସକ-ବିରୋଧୀ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ସରକାରୀ ଚାକିରି ଖଣ୍ଡେ ପାଇବା ପାଇ ଦିନରାତି ପରିଶ୍ରମ କରୁଛନ୍ତି । ମାତ୍ର କେହି ଜଣେ ଅଯୋଗ୍ୟ ତଥା ମୁର୍ଖ ବ୍ୟକ୍ତି ମୋଟା ଅଙ୍କ ଦେଇ ଜାଲ୍ ସାର୍ଟିଫିକେଟ ଦାଖଲ କରି ଏହି ଚାକିରି ହାତେଇ ନେଉଛି । ଆଗକୁ ଏହି ମାମଲାରେ ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

Related Articles

Back to top button