ସ୍ଵଳ୍ପ ସଞ୍ଚୟ ସ୍କିମ୍‌ର ସୁଧ ହାରରେ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (୨୦୨୩-୨୪) ର ପ୍ରଥମ ତ୍ରୈମାସ ଶନିବାର ଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ତ୍ରୈମାସ ପାଇଁ ସ୍ଵଳ୍ପ ସଞ୍ଚୟ ସ୍କିମ୍‌ର ସୁଧହାରରେ ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ବିଭିନ୍ନ କ୍ଷେତ୍ରରେ ଜାରି ସ୍ବଳ୍ପ ସଞ୍ଚୟ ସ୍କିମ୍‌ ଅଧୀନରେ ଥିବା ବିଭିନ୍ନ ସ୍କିମ୍‌ ଉପରେ ସୁଧ ହାର ୦.୧% ରୁ ୦.୭୦% କୁ ବୃଦ୍ଧି କରାଯାଇଛି। ତେବେ ଏଥର ମଧ୍ୟ ସରକାର ପିପିଏଫ୍‌ର ସୁଧ ହାର ବୃଦ୍ଧି କରିନାହାନ୍ତି। ନୂଆ ସୁଧ ହାର ୨୦୨୩ ଏପ୍ରିଲ ୧ ରୁ ୨୦୨୩ ଜୁନ୍‌ ତ୍ରୈମାସ ପାଇଁ ଲାଗୁ ରହିବ। ଘୋଷିତ ଇ-ସୁଧ ହାରରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି)ର ସୁଧ ହାର ସବୁଠାରୁ ଅଧିକ ବୃଦ୍ଧି କରାଯାଇଛି। ଏହା ଅଧୀନରେ ଏପ୍ରିଲ ପହିଲାରୁ ୭.୦% ପରିବର୍ତ୍ତେ ୭.୭% ସୁଧ ମିଳିବ। ଏହା ବ୍ୟତୀତ ଗୋଟିଏ ବର୍ଷ, ୨ବର୍ଷ, ୩ ବର୍ଷ ଓ ୫ ବର୍ଷିଆ ଜମା ଉପରେ ସୁଧ ହାର ୦.୧% ରୁ ୦.୫%କୁ ବୃଦ୍ଧି କରାଯାଇଛି। ସେହିପରି କିଷାନ ବିକାଶପତ୍ର ବର୍ତ୍ତମାନ ୧୨୦ ମାସ ପରିବର୍ତ୍ତେ ୧୧୫ ମାସରେ ପରିପକ୍ୱ ହେବ। ନୂଆ ସୁଧ ହାର ୭.୨%ରୁ ୭.୫%କୁ ବୃଦ୍ଧି କରାଯାଇଛି। ସେହିପରି ସୁକନ୍ୟା ସମୃଦ୍ଧି ସ୍କିମ୍‌ରେ ସୁଧହାର ୮% କୁ ବୃଦ୍ଧି କରାଯାଇଛି। ୫ବର୍ଷୀୟ ଡାକଘର ଜମା ପାଇଁ ସୁଧହାର ୭.୫%କୁ ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରଣାଳୟ ଏଥର ମଧ୍ୟ ସଞ୍ଚୟ ଆକାଉଣ୍ଟ ଏବଂ ପିପିଏଫ୍‌ ଉପରେ ସୁଧ ହାର ବୃଦ୍ଧି କରିନାହାନ୍ତି। ପିପିଏଫ୍‌ ଉପରେ ସୁଧ ହାର ୦.୦୫%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥର ପିପିଏଫ୍‌ର ସୁଧ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା କିନ୍ତୁ ଏହାକୁ ୭.୧% ରେ ବଜାୟ ରଖାଯାଇଛି।

Related Articles

Back to top button