ବକେୟା ବିଦ୍ୟୁତ ବିଲ ନାଁରେ ମାତିଛନ୍ତି ସାଇବର ଠକ, ସାବଧାନ କରିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଏବେ ସାଇବର ଠକଙ୍କ ଜାଲରେ ସାଧାରଣ ଲୋକଙ୍କ ସହ ରାଜ୍ୟ ସରକାରଙ୍କ ବଡ଼ ବାବୁ ବି ଫସିବାରେ ଲାଗିଛନ୍ତି । ସରଳ ମାଧ୍ୟମ ବନିଛି ବିଦ୍ୟୁତ୍ ବିଲ୍ ବା କନେକ୍ସନ ସମ୍ବନ୍ଧୀୟ ନାଟକ ।

ବିଦ୍ୟୁତ୍ ସଂଯୋଗ କଟିଯିବ! ବକେୟା ବିଲ୍ ଦେବାକୁ କହି ଫୋନକୁ ବିଭିନ୍ନ ପ୍ରକାରେ ସନ୍ଦେହଜନକ ଲିଙ୍କ ପଠାଇ ଆକାଉଣ୍ଟ ଖୋଳ କରୁଛନ୍ତି ସାଇବର ଲୁଟେରା ।

ବିଗତ କିଛି ଦିନ ତଳେ ବ୍ରହ୍ମପୁର ମହାନଗର ନିଗମର ଜଣେ ଯନ୍ତ୍ରୀ ଏଭଳି ଜାଲରେ ଫସି ଲକ୍ଷାଧିକ ଠକେଇର ଶିକାର ହୋଇଛନ୍ତି । ଏହା ବ୍ୟତୀତ ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ୯୧ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ।

ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, “ବିଦ୍ୟୁତ୍ ଦେୟ ବକେୟା ଥିବା କହି ଯଦି ଅଜଣା ନମ୍ବରରୁ ମେସେଜ ଆସେ କିମ୍ବା ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହେବାର ଚେତାବନୀ ଆସେ ତେବେ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରନ୍ତୁ ।

କିଛି ସାଇବର ଠକ୍ ଏଭଳି ମେସେଜ ପଠାଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଯଦି ଆପଣ ଏ ଭଳି ପରିସ୍ଥିତିର ସାମ୍ନା କରୁଛନ୍ତି ପୋଲିସ ସହ ଯୋଗାଯୋଗ କରନ୍ତୁ ।”

ଏହି ସବୁ ଘଟଣାକୁ ନଜରରେ ରଖି ଓଡ଼ିଶା ପୋଲିସ ସୋସିଆଲ ମିଡିଆରା ଏକ ସଚେତନତା ଜାରି କରିଛି । ଏଭଳି ଘଟଣା ବା ସନ୍ଦେହଜନକ ମେସେଜ ଆସିଲେ ପୋଲିସରେ ଅଭିଯୋଗ କରିବାକୁ କୁହାଯାଇଛି ।

Related Articles

Back to top button