ବରିଷ୍ଠ ରଜନେତା ଦାମୋଦର ରାଉତଙ୍କ ପରଲୋକ

ଆଉ ନାହାନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ।  ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ୮୧ ବର୍ଷ ବୟସରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଦାମଙ୍କ ପୁଅ ସମ୍ବିତ ରାଉତ ।ଦାମ ଜଣେ ଦକ୍ଷ ରାଜନେତା ଥିଲେ। ତାଙ୍କର ରୋକଠୋକ୍ ଜବାବ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମଙ୍କ ଚିକିତ୍ସା ଚାଲିଥିଲା । ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ।

ଦାମ ୧୯୭୭ରେ ପ୍ରଥମଥର ପାଇଁ ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୭ ଥରର ବିଧାୟକ ହୋଇଥିଲେ । ୧୯୮୦ରେ ଜନତା ଦଳରୁ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୫ରେ ପରାଜିତ ହୋଇଥିବା ଦାମ ୨୦୦୦ରୁ ୨୦୧୯ ପର‌୍ୟ୍ୟଁନ୍ତ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ସେ ୫ ଥର ଏରସମା ଓ ୨ ଥର ପାରାଦୀପରୁ ନିର୍ବାଚିତ ହୋଇଥିଲେ। ବିଜୁ ଓ ନବୀନ ସରକାରରେ ୭ରୁ ଅଧିକ ବିଭାଗର ମନ୍ତ୍ରୀ ଥିଲେ। ୨୦୧୭ରେ ବିଜୁ ଜନତା ଦଳରୁ ବହିଷ୍କାର ହୋଇଥିବା ଦାମ ଏହାପରେ ଭାଜପାରେ ଯୋଗଦେଇଥିଲେ।୨୦୧୯ରେ ବାଲିକୁଦାରୁ ଭାଜପା ଟିକେଟରୁ ଲଢ଼ି ପରାଜୟ ଲାଭ କରିଥିଲେ। ଗତ ଜାନୁଆରୀରେ ବିଜେଡି ପକ୍ଷରୁ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା। ଦାମ ପଞ୍ଚାୟତିରାଜ ତଥା କୃଷିମନ୍ତ୍ରୀ ଥିଲେ। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜକୁ ସୁଦୃଢ଼ କରିବାରେ ଦାମଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

ତେବେ ଦାମୋଦରଙ୍କ ମରଶରୀରକୁ ପ୍ରଥମେ ୟୁନିଟ ୬ସ୍ଥିତ ସରକାରୀ ବାସଭବନକୁ ପରେ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ପାର୍ଟି କାର୍ଯ୍ୟକର୍ତ୍ତା ଶେଷ ଦର୍ଶନ କରିବେ । ଏହାପରେ ମରଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେ ବିଧାୟକମାନେ ତାଙ୍କ ଶେଷ ଦର୍ଶନ କରିବେ ଏବଂ ତାଙ୍କ ପାର୍ଥିବଶରୀରକୁ ଗାର୍ଡ ଅଫ ଅନର ଦିଆଯିବ । ଏହୌାପରେ ଦାମଙ୍କ ମରଶରୀରକୁ ସିଧା ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନିଆଯିବ । ରାତିରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

Related Articles

Back to top button