କୋହିନୂର ହୀରା ଇଂଲଣ୍ଡରୁ ଫେରାଇ ଆଣିବା ଲାଗି ଦାବି ଜୋର୍ ଧରିଲା

ପୁରୀ:  ତତ୍କାଳୀନ ପଞ୍ଜାବ ମହାରାଜା ରଣଜିତ୍ ସିଂହ ତାଙ୍କ କୌଳିକ ପଣ୍ଡାଙ୍କ ମାଧ୍ୟମରେ ଏବେ ବ୍ରିଟେନରେ ଥିବା କୋହିନୂର ହୀରାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ।

କିନ୍ତୁ ଭାରତରେ ଶାସନ କରୁଥିବା ଗୋରା ସୈନିକ ତାହାକୁ ତାଙ୍କ ଗଭର୍ଣ୍ଣର ଜେନେରାଲଙ୍କ ପାଇଁ ଇଂଲଣ୍ଡ ନେଇ ଯାଇଥିଲେ । ସେବେଠୁ ଇଂଲଣ୍ଡରେ ରହିଛି ଏହି ଦୁର୍ଲଭ କୋହିନୂର ହୀରା। ଏବେ ରାଣୀଙ୍କ ମୃତ୍ୟୁ ପରେ ଗବେଷକ, ସେବାୟତ, ଐତିହ୍ୟ ବିଶାରଦ ଓ ଅଗଣିତ ଜଗନ୍ନାଥ ପ୍ରେମୀ କୋହିନୂର ହୀରା ଫେରି ପାଇବା ନେଇ ଆଶାବାଦୀ ଅଛନ୍ତି।

କୋହିନୂର ହୀରା ଇଂଲଣ୍ଡରୁ ଫେରାଇ ଆଣିବା ପାଇଁ ଅନେକ ସଂଗଠନ ଆନ୍ଦୋଳାନତ୍ମକ ପନ୍ଥା ଗ୍ରହଣ କରିବା ସହ ସର୍ବୋଚ୍ଚ ଅଦାଲତର ଆଶ୍ରୟ ନେଇଛନ୍ତି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାଭ ଯୋଗୁଁ ସେହି ଓଡ଼ିଶା ଫେରାଇ ଅଣାଯାଇ ପାରୁ ନାହିଁ କୋହିନୂର ହୀରା । ଏବେ ମଧ୍ୟ କୋହିନୂର ହୀରାକୁ ନେଇ ବ୍ରିଟିଶ ସରକାର ନିଜର ମାଲିକାନା ସତ୍ତ୍ୱ ଜାହିର୍ କରି ଚାଲିଛନ୍ତି । ୭ ବର୍ଷ ପୂର୍ବେ ଗବେଷକ ସୂର୍ଯ୍ୟ ନାରାୟଣ ରଥଶର୍ମା ସୁପ୍ରିମକୋର୍ଟରେ କୋହିନୂର ହୀରାକୁ ଫେରାଇ ଆଣିବା ଲାଗି ପିଟିସନ ଦାଏର କରିଥିଲେ।

ଶ୍ରୀଜଗନ୍ନାଥ ସେନା ଆବାହକ ମଧ୍ୟ କୋହିନୂର ହୀରା ଫେରାଇ ଦେବାପାଇଁ ବ୍ରିଟିଶ୍ ରାଣୀଙ୍କୁ ଚିଠି ଲେଖିଥିଲେ । ଗତବର୍ଷ ରାଣୀ ଜଗନ୍ନାଥ ସେନାକୁ ଚିଠିର ଉତ୍ତର ଦେବା ପରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ସରକାରୀ ସ୍ତରରେ ଏହାକୁ ନେଇ ନିଷ୍କ୍ରିୟତା ରହିଥିବାରୁ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।

ବ୍ରିଟିଶ ଅଧିନରୁ ଭାରତ ୭୬ ବର୍ଷ ହେଲା ସ୍ୱାଧୀନ ହେଲାଣି । ତଥାପି କୋହିନୂର ହୀରା ଫେରି ପାଇବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟାର ଅଭାବ ରହିଛି । କୋହିନୂର ହୀରା ଫେରାଇ ଆଣିବା ଲାଗି ପଦକ୍ଷେପ ନିଆ ନଗଲେ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହେବ ବୋଲି କହିଛି ଜଗନ୍ନାଥ ସେନା।

Related Articles

Back to top button