
ଆଜି ଠାରୁ ଶ୍ରୀଜୀଉଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ
ଆଜି ଠାରୁ ଶ୍ରୀଜୀଉଙ୍କୁ ଦର୍ଶନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ। ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି। ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପ୍ରକଳ୍ପ ପରିକ୍ରମଣ କରିବା ନେଇ ଆସନ୍ତାକାଲି ଠାରୁ ପର୍ଯ୍ୟାୟ କ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି।
ପ୍ରଥମ ଦିନ ଗଞ୍ଜାମ, ବାଲେଶ୍ଵର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଆସିବେ। ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ ଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାର୍ଶ୍ଵରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବେ। ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର ବସ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟରକୁ ନିଆଯିବ। ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯିବ। ଏହି କାର୍ଯ୍ୟ ପାଇଁ ବିଭିନ୍ନ ଅଧିକାରୀ କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।