୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରାଜ୍ୟର ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ। ମିଶନ ଶକ୍ତି, ପାନୀୟ ଜଳ, ଜଳସେଚନ, ଶିଳ୍ପ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଛି। ଏହି ଯୋଜନା ଆହୁରି ୬ ବର୍ଷ ଲାଗି ସମ୍ପ୍ରସାରିତ କରାଯାଇଛି। ଏଥିପାଇଁ ୨୮୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଓ କ୍ଷୁଦ୍ର ଏବଂ ନାମକୁ ମାତ୍ର ଚାଷୀ ମିଲେଟ ମିଶନ ଦ୍ୱାରା ଉପକୃତ ହେବ। ଜିଲ୍ଲା ଯୋଜନା କମିଟି ଆଇନ ୧୯୯୮ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି। ରାଜ୍ୟ ରାଜସ୍ବ ସେବା କ୍ୟାଡର ସଂଖ୍ୟା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି। ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଏଲ ନଦୀରେ ଇନଷ୍ଟ୍ରିମ ବ୍ୟାରେଜକୁ ମଂଜୁରୀ ମିଳିଛି। ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି। ଓଏମସି ସହ କଳିଙ୍ଗ ଆଇରନ ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।

Related Articles

Back to top button