ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ ହୋଇଛି

ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକ୍ରମେ ମହାପ୍ରଭୁଙ୍କ ଅର୍ପଣ ରଥ ମାଧ୍ୟମରେ ସଂଗୃହିତ ଚାଉଳରେ ପ୍ରସ୍ତୁତ ମହାପ୍ରସାଦ ସୁଆର ମହାସୁଆର ନିଯୋଗ ଦ୍ୱାରା ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ କରି ଶ୍ରୀମନ୍ଦିରର ତିନି ଦ୍ବାରରେ ଭକ୍ତଙ୍କୁ ମାଗଣାରେ ବଣ୍ଟାଯାଉଥିଲା । ଚଳିତବର୍ଷ ପେବୃୟାରୀ ମାସରୁ ଭକ୍ତମାନେ ଏହି ମାଗଣା ମହାପ୍ରସାଦ ପାଇପାରୁଥିଲେ । କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ହଠାତ୍‌ ଏହାକୁ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଯେଉଁଥିପାଇଁ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ଭକ୍ତ ଅଭିଯୋଗ କରିଛନ୍ତି, ଏହି ମହତ ବ୍ୟବସ୍ଥାରେ ଦୈନିକ ଶହ ଶହ ଗରିବ ଶ୍ରଦ୍ଧାଳୁ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଉଛନ୍ତି । କିନ୍ତୁ ଏହି ବ୍ୟବସ୍ଥା ବନ୍ଦ ହୋଇଗଲେ, ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ । କେବଳ ଗରିବ ନୁହନ୍ତି, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମଧ୍ୟ ନିରାଶ ହେବେ ।

ତେବେ ଘଟଣାକୁ ନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟିବ ବୋଲି ଶ୍ରୀମନ୍ଦିର ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି । ବହୁ ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ମାଗଣା ମହାପ୍ରସାଦ ଭକ୍ତଙ୍କୁ ଦେଇ ଆସୁଥିଲା । ଏ ବାବଦ ଖର୍ଚ୍ଚ ଶ୍ରୀମନ୍ଦିର ପ୍ରଶାସନ ବହନ କରୁଥିଲା । ଏମାର ମଠ ଚକଡ଼ାରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ ହେଉଥିଲା । କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପରେ ଏହି ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା । ସୁଆର ମହାସୁଆର ନିଯୋଗ ଅନୁରୋଧକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାର ବ୍ୟବସ୍ଥା କରିଥିଲେ । କିନ୍ତୁ ଆଜିଠାରୁ ଏହା ବନ୍ଦ କରି ଦିଆଯାଇଛି । ଏଣୁ ନିଯୋଗ ଏ ଦିଗରେ ଆଗାମୀ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବ ବୋଲି ଶ୍ରୀ ନାରାୟଣ ମହାସୁଆର କହିଛନ୍ତି ।

Related Articles

Back to top button