‘କ୍ୟୁଆରଏସ୍ଏଏମ୍’ କ୍ଷେପଣାସ୍ତ୍ରର ୬ ଫ୍ଲାଇଟ୍ ପରୀକ୍ଷଣ ସଫଳ

ବାଲେଶ୍ଵର: ବାଲେଶ୍ଵର ଜିଲା ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍) ପରିସରରୁ ଗୁରୁବାର ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା କ୍ୱିକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ ‘କ୍ୟୁଆରଏସ୍ଏଏମ୍’ କ୍ଷେପଣାସ୍ତ୍ରର ୬ ଫ୍ଲାଇଟ୍ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଏହି ପରୀକ୍ଷଣ କରିଛନ୍ତି ।

ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରରେ ନିୟୋଜିତ ସମସ୍ତ ଟେକ୍ନୋଲୋଜି ଏବଂ ସବ୍ ସିଷ୍ଟମ୍ ସଠିକ୍ ପ୍ରଦର୍ଶନ କରିଥିଲେ ଏବଂ ମିଶନର ସମସ୍ତ ଆବଶ୍ୟକତା ପୂରଣ କରିଥିଲା । ଏହି ଅବସରରେ ଡିଆରଡିଓ ସହିତ ଜଡିତ ବରିଷ୍ଠ ବୈଜ୍ଞାନିକ ଏବଂ ଅଧିକାରୀଙ୍କ ଏକ ଟିମ୍ ମଧ୍ୟ ଉପସ୍ଥିତ ଥିଲେ। ଏହି କ୍ଷେପଣାସ୍ତ୍ର ସଫଳତାର ସହିତ ୬ ଥର ପରୀକ୍ଷଣ କରାଯାଇଛି ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସ୍ୱଳ୍ପ ଦୂରଗାମୀ ‘କ୍ୟୁଆରଏସ୍ଏମ୍’ କ୍ଷେପଣାସ୍ତ୍ର ଏକାସାଙ୍ଗରେ ଏକାଧିକ ଟାର୍ଗେଟ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି । ଏହି କ୍ଷେପଣାସ୍ତ୍ରର ୨୫ ରୁ ୩୦ କିଲୋମିଟର ଦୂରତାରେ ଥିବା ଶତ୍ରୁ ଠିକଣା ଉପରେ ଆକ୍ରମଣ କରିବାକୁ ସକ୍ଷମ । ଏହାକୁ ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର ରୂପେ ପ୍ରସ୍ତୁତ କରାଯାଇଛି । ଏହା ସବୁ ଋତୁରେ କାମ କରିପାରିବ।

ପରୀକ୍ଷଣ ସଫଳ ପିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି। ସେହିପରି ପ୍ରତିରକ୍ଷା ବିଭାଗ ଆର ଆଣ୍ଡ ଡି ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ସଫଳ ପରୀକ୍ଷଣ ସହିତ ଜଡ଼ିତ ଦଳମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଭାରତୀୟ ସେନାରେ ପ୍ରବେଶ ପାଇଁ ଏହି ବ୍ୟବସ୍ଥା ବର୍ତ୍ତମାନ ପ୍ରସ୍ତୁତ ବୋଲି କହିଛନ୍ତି।

Related Articles

Back to top button