
୨ ଲକ୍ଷ କୋଟିର ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ
ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଶନିବାର ବିଧାନସଭାରେ ଗୃହୀତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ୨ ଲକ୍ଷ କୋଟିରୁ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୮୯ ହଜାର ୫୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ୧ ଲକ୍ଷ କୋଟି, ବିପର୍ଯ୍ୟୟ ମୁକାବିଲା ପାଣ୍ଠି ପାଇଁ ୩ ,୨୧୦ କୋଟି ଏବଂ ରାଜ୍ୟରୁ ସ୍ଥାନୀୟ ନିକାୟଗୁଡ଼ିକୁ ହସ୍ତାନ୍ତର ବାବଦରେ ୭,୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରଶାସନିକ ବ୍ୟୟ ୩୩ ପ୍ରତିଶତ ଅଧିକ ରହିଥିବା ବେଳେ ପୁଞ୍ଜି ବ୍ୟୟ ବାବଦକୁ ୩୮,୭୩୨ କୋଟି ଅଟକଳ ହୋଇଛି, ଯାହକି ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍ଡିପି)ର ୫.୪ ପ୍ରତିଶତ । ଚଳିତ ଆର୍ଥିକ ବର୍ଷରେ ଏ ବାବଦକୁ ଥିବା ଆବଣ୍ଟନ ଗତ ବର୍ଷଠାରୁ ୫୬ ପ୍ରତିଶତ ଅଧିକ ବୋଲି ମନ୍ତ୍ରୀ କହିଛନ୍ତି। ଏହି ବଜେଟରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ବଜେଟକୁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ ମାଧ୍ୟମରେ ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ଓ ‘ମୋ ସରକାର’ ସଫଳ ରୂପାୟନ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରକୁ ସରକାର ଗୁରତ୍ୱ ଦେଉଛନ୍ତି । କୋଭିଡ ସତ୍ତ୍ୱେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି ବୋଲି ବୋଲି ମନ୍ତ୍ରୀ କହିଛନ୍ତି।