ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କା, ସତର୍କ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ: ବନ୍ୟା ଆଶଙ୍କା ଭିତରେ ପୁରୀ ଜିଲ୍ଲାପାଳ ଏକ ସମୀକ୍ଷା ବୈଠକ କରିଛନ୍ତି। ଆଉ ନଦୀବନ୍ଧମାନଙ୍କ ଉପରେ ସତର୍କ ରହିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ହୀରାକୁଦ ଜଳ ଭଣ୍ଡାର ଦେଇ ଛତିଶଗଡ ପଟ୍ଟୁ ପାଣି ଆସୁଛି। ତେଣୁ ମହାନଦୀରେ ଗୋଟିଏ ମଧ୍ୟମ ଧରଣର ବନ୍ୟା ହେବ। ଆଉ ମହାନଦୀକୁ ସଂଲଗ୍ନ କରିଥିବା ନଦୀ ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ଏସଆରସି ପ୍ରଦୀପ ଜେନା କହିଥିଲେ। ଏହାକୁ ନଜରରେ ରଖି ଜଗତସିଂହପୁର, ପୁରୀ,ଖୋର୍ଦ୍ଧାର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏବେ ପୁରୀ ଜିଲ୍ଲାରେ ବନ୍ୟାଜଳ ଅଧିକ ପ୍ରବାହ ନେଇ ସୂଚନା ନଥିଲେ ହେଁ ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବାକୁ କୁହାଯାଇଛି। ବଡ଼ଧରଣର ବନ୍ୟା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଉଥିଲେ ହେଁ ହୀରାକୁଦ ବନ୍ୟାଜଳ ଦୟା ଓ ଭାର୍ଗବୀ ନଦୀରେ ପ୍ରବେଶ କଲେ ପାଣି ବନ୍ଧ ଛୁଇଁବା ଆଶଙ୍କା ରହିଛି। ତେଣୁ ନଦୀକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

ସେହିପରି ନଦୀବନ୍ଧ ଦୁର୍ବଳ ହେବା ପୂର୍ବରୁ ଏ ସଂକ୍ରାନ୍ତରେ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକଙ୍କୁ ସ୍ଥାନାନ୍ତର କରାଯିବା ନେଇ ସତର୍କ ରହିବାକୁ କୁହାଯାଇଛି। ଏନେଇ ୨ ଓଡ୍ରାଫ୍ ଟିମ୍, ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍, ଅଗ୍ନିଶମ ବାହିନୀର ୪ଟି ଟିମ୍ କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ପିପିଲୀ, ଡେଲାଙ୍ଗ ଅଞ୍ଚଳରେ ଭାର୍ଗବୀ ଓ ଦୟା ନଦୀ ପ୍ରବାହିତ ହେଉଥିବାରୁ ଉକ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ। କୌଣସି ଆପାତ କାଳୀନ ପରିସ୍ଥିତି ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନ ସଜାଗ ରହିବାକୁ ବିଧାୟକ ନିର୍ଦେଶ ଦେଇଛନ୍ତି।

Related Articles

Back to top button